ଗଛରେ ପିଟିହେଲା ବୋଲେରୋ: ଜଣେ ମୃତ, ଜଣେ ଗୁରୁତର

ରାଉରକେଲା: କୋଏଲନଗର-ଝିରପାଣି ରାସ୍ତାରେ ନିୟନ୍ତ୍ରଣ ହରାଇ ଏକ ବ‌ୋଲେରୋ ଗଛରେ ପିଟି ହୋଇଯିବାରୁ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ବୋଲେରୋ ଡ୍ରାଇଭର ନିଶ୍ଚିତ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ଜଣକ ହେଲେ ସେକ୍ଟର-୧୯ ହମିରପୁର ବସ୍ତିର ଫିରୁ ସାହୁ (୪୦)। ଗୁରୁତର ଡ୍ରାଇଭର ଅନୀଲକୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ଝିରପାଣି ପୁଲିସ ମୃତ ପିରୁର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆର୍‌ଜିଏଚ୍‌କୁ ପଠାଇଛି। ବୋଲେରୋକୁ ଜବତ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି।ରାସ୍ତା ପାରି ହେଉଥିବା କୁକୁରକୁ ବଞ୍ଚାଇବାକୁ ଯାଇ ଗାଡିଟି ନିୟନ୍ତ୍ରଣ ଗଛରେ ପିଟି ହୋଇଯାଇଥିବାରୁ ଏଭଳି ଘଟଣା ଘଟିଥିବା ପୁଲିସ କହିଛି। ଦ୍ରୁତ ଗତିରେ ଯାଉଥିବାରୁ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି।

ମିଳିଥିବା ସୂଚନା ମୁତାବକ ହମିରପୁର ଦୁଇ ସାଙ୍ଗ ଫିରୁ ଓ ଅନୀଲ କୋଏଲନଗରରୁ ଝିରପାଣି ଆଡକୁ ଯାଉଥିଲେ। ଅନୀଲ ଗାଡି ଚଲାଉଥିବାବେଳେ ଆଗ ସିଟ୍‌ରେ ଫିରୁ ବସିଥିଲେ। କୋଏଲନଗର-ଝିରପାଣି ରାସ୍ତାର ଫୁଟବଲ ପଡିଆ ନିକଟରେ ହଠାତ୍‌ ଏକ କୁକୁର ଗାଡି ସାମ୍ନାକୁ ଆସି ଯାଇଥିଲା। କୁକୁରକୁ ବଞ୍ଚାଇବାକୁ ଯାଇ ଅନୀଲ ବ୍ରେକ୍‌ ମାରି ଦେବାରୁ ଗାଡିଟି ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ବରେ ଥିବା ଗଛରେ ପିଟି ହୋଇଥିଲା। ଫଳରେ ଆଗରେ ସିଟିରେ ବସିଥିବା ଫିରୁ ଓ ଡ୍ରାଇଭର ଅନୀଲ ଗାଡି ଭିତରେ ଚାପି ହୋଇ ରହିଯାଇଥିଲେ। ସ୍ଥାନୀୟ ଲୋକ ଦୁର୍ହିଙ୍କୁ ଗାଡି ଭିତରୁ ଉଦ୍ଧାର କରିଥିଲେ। ‌ସେତେବେଳକୁ ଫିରୁଙ୍କର ମୃତ୍ୟୁ ହୋଇ ସାରିଥିଲା। ଅନୀଲ ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର