ଦୁର୍ଘଟଣା ଘଟାଇ ଓଲଟିଲା ସିମେଣ୍ଟ ଟ୍ରକ୍‌, ଜଣେ ମୃତ

ଠାକୁରମୁଣ୍ଡା: ୫୩ ନମ୍ବର ରାଜ୍ଯ ରାଜପଥ ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାରେ ଏକ ସିମେଣ୍ଟ ବୋଝେଇ ଟ୍ରକ ବାଇକ୍‌କୁ ଧକ୍କା ଦେଇ ଆସିବା ପରେ ସୁନାରିପୋଷୀ ନିକଟରେ ଆଉ ଏକ ଦୁର୍ଘଟଣା ଘଟାଇ ସଡ଼କ ଉପରେ ଓଲଟି ପଡିଛି । ତେବେ ଦୁର୍ଘଟଣାରେ ଜଣେ ଅଚିହ୍ନା ବ୍ୟକ୍ତି ଘଟଣାସ୍ଥଳରେ ମୃତ୍ୟୁ ‌ହୋଇଛି। ଟ୍ରକଟି ପ୍ରଥମେ କେନ୍ଦୁମୁଣ୍ଡି-ଅସନବଣୀ ମଝି ଘାଟିରେ ଠାକୁରମୁଣ୍ଡା ବ୍ଲକରେ କାର୍ଯ୍ୟରତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ପରିବାର ମୋଟର ସାଇକେଲରେ ଆସୁଥିବା ବେଳେ ଧକ୍କା ଦେଇଥିଲେ। ସେମାନେ ଏଥିରେ ଆହତ ହୋଇଛନ୍ତି।

ଘଟଣାରୁ ପ୍ରକାଶଯେ, କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମଣ୍ଡଳ ସ୍ତ୍ରୀ ଓ ଝିଅ ସହ ବାଇକ୍‌ ଯୋଗେ କରଞ୍ଜିଆରୁ ଠାକୁରମୁଣ୍ଡା ଆସୁଥିଲେ। ସନ୍ଧ୍ୟା ସମୟରେ କେନ୍ଦୁମୁଣ୍ଡି ଘାଟି ନିକଟରେ ସିମେଣ୍ଟ ଟ୍ରକ ତାଙ୍କୁ ଧକ୍କା ଦେଇ ଦ୍ରୁତଗତିରେ ଆସୁଥିବା ବେଳେ ସୁନାରିପୋଷୀ ନିକଟରେ ଅନ୍ୟ ଜଣେ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡିଛି । ସିମେଣ୍ଟ ଟ୍ରକ (ଜେଏଚ୍‌୦୬ ଏଚ୍‌-୦୫୧୦)ଟି ଝିଙ୍କପାଣିରୁ ଆସୁଥିବା ଜଣାପଡିଛି। ଅଚିହ୍ନା ମୃତ ବ୍ୟକ୍ତିଙ୍କ ବାଇକ୍‌ଟି ଟ୍ରକ ତଳେ ଚାପି ହୋଇ ରହିଥିବା ଜଣାପଡିଛି। ମୃତ ବ୍ୟକ୍ତିଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ମୃତ ବ୍ୟକ୍ତିର ମୁଣ୍ଡ ଉପରେ ଚକା ମାଡିଯାଇଥିବା ଜଣାପଡୁଛି । ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ହେଲପରକୁ ଗାଡି ଭିତରୁ ଉଦ୍ଧାର କରାଯାଇ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଛି। ହେଲପରର ହାତ ଚିରି ଯାଇଥିବା ଏବଂ ମୁଣ୍ଡ ଫାଟିଥିବା ଜଣାପଡିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର