ଦଶହରାରେ କାଳ ହେଲା କାଳେଶ୍ବର: ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା; ବ୍ୟାଙ୍କ ମ୍ୟାନେଜର ମୃତ, ୩ଗୁରୁତର

ଦଶପଲ୍ଲା: ଦଶହରାରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିବାରୁ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୩ ଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ କଲ୍ୟାଣୀ ପଣ୍ଡା। ସେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ମ୍ୟାନେଜର ଥିଲେ। ଗୁରୁତର ୩ ଜଣଙ୍କ  ମଧ୍ୟରେ ଅଛନ୍ତି ଡ୍ରାଇଭରଙ୍କ ସମେତ ୨ ଯାତ୍ରୀ ଲିଲୁକନ ବେହେରା ଓ ଟିଟୁନା ସାହୁ।

ସୂଚନା ଅନୁସାରେ ଗଂଜାମ ଜିଲ୍ଲା ଭଂଜନଗରରୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଭିମୁଖେ ଆଜି ଅପରାହ୍ନରେ ଏକ ଘରୋଇ ବସ୍‌ ‘କାଳେଶ୍ବର’ ବାହାରିଥିଲା। ଯାତ୍ରବାହୀ ବସ୍‌ଟି ଦଶପଲ୍ଲାରେ ପହଂଚିବା ପୂର୍ବରୁ ରାତି ପ୍ରାୟ ୯ଟାରେ ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ବ୍ୟାଙ୍କ ମ୍ୟାନେଜର କଲ୍ୟାଣୀ ପଣ୍ଡାଙ୍କର ମୃତ୍ୟୁ ହୋଇଥିଲା ବେଳେ ଡ୍ରାଇଭରଙ୍କ ସମେତ ଯାତ୍ରୀ ଲିଲୁକନ ବେହେରା ଓ ଟିଟୁନା ସାହୁ ଗୁରୁତର ହୋଇଥିଲେ। ୩ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଦଶପଲ୍ଲା ଶାଖାରେ କଲ୍ୟାଣୀ ପଣ୍ଡା କିଛି ମାସ ପୂର୍ବରୁ ଯୋଗ‌ ଦେଇଥିଲେ। ସେ ଦଶହରା ଛୁଟିରେ ନିଜ ଘର ଭଂଜନଗରକୁ ଯାଇଥିଲେ। ବ୍ୟାଙ୍କ ମ୍ୟାଜେନର କଲ୍ୟାଣୀ ପଣ୍ଡା ଗୁରୁବାର ଦିନ ବ୍ୟାଙ୍କରେ ଯୋଗଦେଇଥାନ୍ତେ। 

ତେବେ ବସ୍‌ଟି ଦୁର୍ଘଟଣାର ସାମ୍ନା କରିବା ପରେ ଯାତାୟତ ପ୍ରଭାବିତ ହୋଇଛି। ସ୍ଥାନୀୟ ଲୋକଙ୍କର ସାହାଯ୍ୟରେ ପୁଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଅଟକି ରହିଛି।

ସମ୍ବନ୍ଧିତ ଖବର