ତୁଷୁରା/ସଇନ୍ତଳା : ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ୍ ବାଗବାହାଲି ଛକରେ ସୋମବାର କାର୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍ ଆରୋହୀ ଶ୍ରୀକାନ୍ତ ଭୋଇ (୨୫ବର୍ଷ)ଙ୍କ ମୃତ୍ୟୁ ଘଟିଛି ଏବଂ କାର୍ ଚାଳକ ଡାନିଏଲ ପଟ୍ଟନାୟକ ଗୁରୁତର ଆହତ ହୋଇଛନ୍ତି। ପରେ ସଇନ୍ତଳାଠାରେ ଶବ ରଖି ମୃତକଙ୍କ ପରିବାର ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ସଇନ୍ତଳା ତହସିଲଦାର ତଥା ମାଜିଷ୍ଟ୍ରେଟ ସୁମନ କିଶୋର ଡୁଙ୍ଗଡୁଙ୍ଗ, ଥାନାଧିକାରୀ ବାରିଣୀ ଦାସ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲେ। ସେମାନେ କ୍ଷତିପୂରଣ ଦାବିରେ ଅଟଳ ରହିଥିଲେ। ଦୁର୍ଘଟଣା ଘଟାଇଥିବା ଗାଡ଼ି ମାଲିକ ଆର୍ଥିକ ସହାୟତା ଦେବାପାଇଁ ପ୍ରତିଶ୍ରୁତି ଦେବା ପରେ ସଂନ୍ଧ୍ୟା ୭ଟାରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।
ପ୍ରକାଶ ଯେ, ସଇନ୍ତଳା ଆଲୋକ ଛକ ନିକଟ ପୁରୁଣା ଭାଟିପଡ଼ାର ଶୀକାନ୍ତ ଅନ୍ଲାଇନ ସପିଂ ଡେଲିଭରି ବଏ ଭାବେ କାମ କରୁଥିଲେ। ସୋମବାର ଡେଲିଭରି ସାମଗ୍ରୀ ଧରି ବାଇକ (ଓଡି ୦୩ ଏଫ ୬୧୫୨)ରେ ଦେଉଳଗୁଡ଼ି ପଟକୁ ଯାଉଥିଲେ। ସେହି ସମୟରେ ବିପରୀତ ପଟୁ ଆସୁଥିବା କାର୍ (ଓଡ଼ି ୦୩ ଏଫ ୮୭୨୨) ସହ ବାଗବାହାଲି ଛକ ବୁଲାଣିଠାରେ ତାଙ୍କର ଧକ୍କା ହୋଇଥିଲା। ଖବର ପାଇ ତୁଷୁରା ପୁଲିସ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ତୁଷୁରା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଶ୍ରୀକାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କାର୍ ଚାଳକ ବଲାଙ୍ଗୀରର ଡାନିଏଲଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଶ୍ରୀକାନ୍ତଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ତାଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଇଥିଲା।
/sambad/media/post_attachments/wp-content/uploads/2021/02/acci2.jpg)
ସୂଚନାଯୋଗ୍ୟ ଯେ, ଉକ୍ତ ସ୍ଥାନରେ ଗତ ଡିସେମ୍ବର ୪ ତାରିଖ ଦିନ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଉକ୍ତ ସ୍ଥାନରେ ସୋମବାର ଦୁର୍ଘଟଣା ଘଟି ଜଣକର ଜୀବନ ଯାଇଛି। ଫଳରେ ଉକ୍ତ ସ୍ଥାନରେ ସ୍ପିଡବ୍ରେକର ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/acci-1.jpg)