ଓଡ଼ଗାଁ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଶରଣକୁଳ ଥାନା ପଂଚୁମୁ ପଂଚାୟତ ଦୟଣାଝରୀ ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦାଦା–ପୁତୁରାର ମଧ୍ୟରେ ସଂଘର୍ଷ ଘଟି ପୁତୁରାର ମୃତ୍ୟୁ ଘଟିଥିବା ବେଳେ ଦାଦା ସମେତ ଅନ୍ୟ ଦୁଇଜଣ ପୁତୁରା ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି। ଉଭୟଙ୍କ ପକ୍ଷରୁ ପୃଥକ ଭାବେ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି।

Advertisment

ସୂଚନା ଅନୁସାରେ, ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଭିକାରୀ ନାୟକଙ୍କ ତିନି ପୁଅ ହରି ନାୟକ, ସହଦେବ ନାୟକ ଓ ଭିମ ନାୟକଙ୍କ ମଧ୍ୟରେ ବଚଷା ହୋଇଥିଲା। ବେଳକୁ ବେଳ ବିବାଦ ଉଗ୍ରରୂପ ନେବାରୁ ଉଭୟଙ୍କ ମଧ୍ୟରେ ଗଣ୍ତଗୋଳ ଆରମ୍ଭ ହୋଇଥିଲା। ସମସ୍ତେ ହାତରେ ଠେଙ୍ଗାବାଡ଼ି ଧରି ପରପ୍ପରକୁ ଆକ୍ରମଣ କରୁଥିବା ସମୟରେ ଭିମ ନାୟକଙ୍କ ପୁଅ ସିକୁନ ନାୟକ (୨୪) ହାତରେ ମାରଣାସ୍ତ୍ର ଧରି ଦାଦାଙ୍କୁ ଆକ୍ରମଣ କରିବାକୁ ଆସିଥିଲେ। ଏହି ସମୟରେ ହରି ନାୟକଙ୍କ ଦୁଇପୁଅ ବିରଂଚି ନାୟକ ଓ ଶୁକଦେବ ନାୟକଙ୍କ ସହ ଦାଦାମାନେ ମିଶି ଶିକୁନକୁ ଆକ୍ରମଣ କରିଥିଲେ। ଉଭୟ ଉଭୟଙ୍କୁ ଆକ୍ରମଣ ପ୍ରତି ଆକ୍ରମଣ କରିବା ଦ୍ବାରା ଶିକୁନର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ଏବଂ ହରି ନାୟକ, ବିରଂଚି ନାୟକ ଓ ସହଦେବ ନାୟକ ଗୁରୁତର ଆହତ ହୋଇ ଭୁବନେଶ୍ବରରେ ଚିକିତ୍ସିତ ହେଉଛନ୍ତି।

ଖବରପାଇ ଶରଣକୁଳ ପୁଲିସ ଘଟଣା ସ୍ଥଳରେ ପହଂଚିବା ସହିତ ଆକ୍ରମଣରେ ବ୍ୟବହୃତ ହୋଇଥିବା ମାରଣାସ୍ତ୍ର ଓ ଠେଙ୍ଗା, ବାଡ଼ି ଜବତ କରିବା ସହ ମୃତଦେହକୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଛେଦ ପାଇଁସ୍ଥାନାନ୍ତର କରିଛି। ଏହି ଘଟଣାରେ ଉଭୟ ପକ୍ଷରୁ ପୃଥକ ଭାବେ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି।