ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ସିନ୍ଧେକେଲା ପଞ୍ଚାୟତରେ ଏକ ସପ୍ତାହରୁ ଅଧିକ ହେଲା ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ବହୁ ସଂଖ୍ୟାରେ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଏପରିକି ଗୋଟିଏ ସପ୍ତାହ ମଧ୍ୟରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେସରକାରୀ ଭାବେ ସୂଚନା ମିଳିଛି। ଶନିବାର ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡ଼ୁଥିବାରୁ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।
ସୂଚନା ଅନୁସାରେ, ଶନିବାର ସ୍ଥାନୀୟ ଦେହେଲି ରାସ୍ତାରେ ଥିବା ପାହାଡ଼ ନିକଟ କ୍ରସରପଡ଼ାରେ ମମତା କହଁର (୨୫) ନାମ୍ନୀ ଜଣେ ଯୁବତୀ ଝାଡ଼ାବାନ୍ତିରେ ପ୍ରାଣ ହରାଇଛନ୍ତି। ପରିବାର ଲୋକଙ୍କ କହିବାନୁସାରେ, ମମତା ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାରୁ ଚିକିତ୍ସା ପାଇଁ ଶୁକ୍ରବାର ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ସନ୍ଧ୍ୟାରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। କିନ୍ତୁ, ବିଳମ୍ବିତ ରାତିରେ ପୁଣି ତାଙ୍କୁ ଝାଡ଼ାବାନ୍ତି ହୋଇଥିଲା। ଫଳରେ ଆଉଥରେ ତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଅଞ୍ଚଳରେ ଝାଡ଼ାବାନ୍ତି ମୃତ୍ୟୁ ସଂଖ୍ୟା ୬ ହୋଇଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ସିନ୍ଧେକେଲା ସ୍ବାସ୍ଥ୍ୟ ବିଭାଗ ମୋଟ ଝାଡ଼ାବାନ୍ତି ମୃତ୍ୟୁ ସଂଖ୍ୟା ଦୁଇ ବୋଲି କହୁଛି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ମୃତ ମମତାଙ୍କ କାକା ଦାମୁ କହଁର ଓ ଖୁଡ଼ୀ ସୁଶୀଳା କହଁର ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।
ଏପଟେ ସ୍ବାସ୍ଥ୍ୟ ବିଭାଗର କହିବାନୁସାରେ, ପାନୀୟ ଜଳ ହିଁ ଝାଡ଼ାବାନ୍ତି ବ୍ୟାପିବାର ପ୍ରମୁଖ କାରଣ। ବିଶେଷ କରି ସିନ୍ଧେକେଲାରେ ଉନ୍ଦେର ନଦୀରୁ ଇନ୍ଟେକ୍ ୱେଲ୍ ଜରିଆରେ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ ହୋଇଥାଏ। ଏହି ପାଣି ତଥା ଯେଉଁପଡ଼ାକୁ ନଦୀର ପାଇପ ପାଣି ପହଞ୍ଚି ପାରୁନାହିଁ ସେଠାରେ ନଳକୂପ କିମ୍ବା ଖୋଳାକୂଅ ପାଣି ଲୋକେ ସିଧାସଳଖ ବ୍ୟବହାର କରୁଥିବାରୁ ଏପରି ପରିସ୍ଥିତି ଉପୁଜିଥିବା ସ୍ବାସ୍ଥ୍ୟ ବିଭାଗ କହୁଛି। ସେଥିପାଇଁ ଶନିବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଁରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକମାନଙ୍କୁ ସଚେତନ କରାଯାଇଥିଲା। ସିନ୍ଧେକେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏମ୍ଓଆଇସି ଡା. ବିଶ୍ବରଞ୍ଜନ ଖୁଣ୍ଟିଆଙ୍କ କହିବାନୁଯାୟୀ ପାନୀୟ ଜଳରୁ ହିଁ ସଂକ୍ରମଣ ବଢୁଛି ଓ ବ୍ଲକ ପ୍ରଶାସନକୁ ଲିଖିତ ଭାବେ ଅବଗତ କରାଯାଇଛି।