ନାରାୟଣପାଟଣା: କୋରାପୁଟ ଜିଲ୍ଲାର ନାରାୟଣପାଟଣାରେ ଡେଙ୍ଗୁ ଭୟାବହ ରୂପ ନେବାରେ ଲାଗିଛି। ଡେଙ୍ଗୁରେ ଆକ୍ରାନ୍ତ ବାଉରୀ ସାହିର ଏ. ସରସ୍ବତୀ (୪୮)ଙ୍କ ଗୁରୁବାର ମୃତ୍ୟୁ ହୋଇଛି। ନ୍ୟୁ କଲୋନି ପ୍ରଥମ, ଦ୍ବିତୀୟ ଓ ତୃତୀୟ ଲାଇନ୍‌ର ବହୁ ପରିବାର ଡେଙ୍ଗୁରେ ଆକ୍ରାନ୍ତ ହୋଇ ଘରୋଇ କ୍ଲିନିକ୍‌ରେ ଚିକିତ୍ସିତ ହେଉଛନ୍ତି। ଗତ କିଛି ଦିନ ମଧ୍ୟରେ ନାରାୟଣପାଟଣାର ୩୫ରୁ ଊର୍ଦ୍ଧ୍ବ ଜଣ ଡେଙ୍ଗୁରେ ଆକ୍ରାନ୍ତ ହେଲେଣି। ସରକାରୀ ଭାବେ ଏ ନେଇ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସରସ୍ବତୀଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଘରକୁଘର ବୁଲି ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରୁଛନ୍ତି।  

Advertisment

ଦୁଇ ଦିନ ସରସ୍ବତୀ ଜ୍ବରରେ ପୀଡ଼ିତ ହେବା ପରେ ସ୍ଥାନୀୟ ଡାକ୍ତରଖାନାରେ ରକ୍ତ ପରୀକ୍ଷା କରି ଔଷଧ ଖାଇଥିଲେ। ଅବସ୍ଥା ଗମ୍ଭୀର ହେବାରୁ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟବସ୍ଥାରେ ପରିବର୍ତ୍ତନ ନ ଆସିବାରୁ ପରିବାର ଲୋକେ ଆନ୍ଧ୍ରର ପା‌ର୍ବତୀପୁରମ୍‌ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ରକ୍ତ ନମୁନା ପରୀକ୍ଷା ପରେ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଥ‌ିଲା। ହଠାତ୍‌ ପ୍ଲେଟଲେଟ୍‌ କମିଯିବାରୁ ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ସରସ୍ବତୀଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ସକାଳେ ମୃତଦେହ ଆମ୍ବୁଲାନ୍ସରେ ଅଣାଯିବା ପରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବାରୁ ସ୍ଥାନୀୟ ଲୋକେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଅଞ୍ଚଳରେ ମଶାଙ୍କ ପ୍ରାଦୁର୍ଭାବ ବଢ଼ିବା ସାଙ୍ଗକୁ ଡେଙ୍ଗୁ ଓ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଲୋକେ କହିଛନ୍ତି। ଗୁରୁବାର କୋରାପୁଟ ସ୍ବାସ୍ଥ୍ୟ ବିଭାଗର ତିନି ଜଣିଆ ଟିମ୍ ନାରାୟଣପାଟଣା ନ୍ୟୁ କଲୋନିର ତିନିଟି ଲାଇନ୍‌, ବାଉରୀ ସାହି ସମେତ ବିଭିନ୍ନ ଗଳିକନ୍ଦି ବୁଲି ପାଣି ନମୁନା ସଂଗ୍ରହ କରିଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ଅଳିଆ ଆବର୍ଜନା ସଫା କରାଯାଉଛି।