ରାସୋଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଶନିବାର ସକାଳେ ପୁଣି ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ବନମାଳୀ ନାୟକ (୬୯) ଓ ସେ ଗଞ୍ଜରା ଗ୍ରାମର ସ୍ବର୍ଗତ ତିଳ ନାୟକଙ୍କ ପୁଅ ବୋଲି ଜଣାଯାଇଛି। ବାବନ୍ଧ ସେକ୍ସନ୍ ଗଞ୍ଜରା ଗ୍ରାମର ବନମାଳୀ ଆଜି ସକାଳେ ପଡ଼ିଆକୁ ଶୌଚ ହେବାକୁ ଯାଇଥିବା ବେଳେ ସେଠାରେ ଥିବା ଏକ ଦନ୍ତା ହାତୀର ସମ୍ମୁଖୀନ ହୋଇଥିଲେ। ଦନ୍ତାଟି ବନମାଳୀକୁ କଚାଡ଼ି ଦେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ହାତୀର ଗର୍ଜନ ଶୁଣି ଗ୍ରାମବାସୀ ସେଠାକୁ ଯାଇଥିଲେ। ଗ୍ରାମବାସୀଙ୍କ ପାଟିତୁ୍ଣ୍ଡ ଶୁଣି ହାତୀଟି ପଳାଇଯାଇଥିଲା।
ଘଟଣାସ୍ଥଳରେ ବନମାଳୀଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଥିଲା। ଖବରପାଇ ବନବିଭାଗ ଓ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଚଳିତ ବର୍ଷ ୬ମାସ ମଧ୍ୟରେ ହିନ୍ଦୋଳ ବନାଞ୍ଚଳରେ ହାତୀ ଆକ୍ରମଣରେ ୧୮ଜଣ ବ୍ୟକ୍ତିଙ୍କ ଜୀବନ ଗଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/elephant.jpg)