ଝରିଗାଁ : କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରୁ ନବରଙ୍ଗପୁର ଜିଲ୍ଲାକୁ ପଶି ଆସିଥିବା ଗୋଠଛଡ଼ା ଦନ୍ତହାତୀ ନରହନ୍ତା ପାଲଟି ସାରିଲାଣି। ରବିବାର ଦିନ ଝରିଗାଁ ବ୍ଲକ୍ ଚଚ୍ଚା ପଞ୍ଚାୟତ ଅନ୍ତର୍ଗତ ଥାଟବେଡ଼ା ଗାଁର ୭୦ବର୍ଷୀୟା ବୃଦ୍ଧା ଆସୁମତି ଭତ୍ରାଙ୍କୁ ଯୋଗୀପଦର ଜଙ୍ଗଲରେ ଦଳିଦେଇଛି। ପୂର୍ବରୁ ଗତ ୧୨ତାରିଖରେ ତେନ୍ତୁଳିଖୁଣ୍ଟି ବ୍ଲକ୍ କଣ୍ଟାଗାଁ ଜଙ୍ଗଲ ଜଗୁଆଳି ବୁଦନ ସୌରାଙ୍କୁ କଲବଲ କରି ମାରିଥିଲା। ସାଥୀଙ୍କ ଠାରୁ ଅଲଗା ହୋଇଯିବା ପରେ ଦନ୍ତା ରକ୍ତମୁଖା ହୋଇଯାଇଛି। ବାରମ୍ବାର ସ୍ଥାନ ପରିବର୍ତ୍ତନ ସହ ସାଥୀଙ୍କୁ ସନ୍ଧାନ କରୁଛି। କିନ୍ତୁ ଯେଉଁ ଅଞ୍ଚଳ ଦେଇ ଚଳପ୍ରଚଳ କରୁଛି ଆଖି ସାମ୍ନାରେ ଯାହା ପାଉଛି ନଷ୍ଟଭ୍ରଷ୍ଟ କରୁଛି। ବ୍ୟାପକ ଫସଲ କ୍ଷୟକ୍ଷତି କରି ସାରିଥିବା ବେଳେ ଦୁଇ ଜଣଙ୍କୁ ମାରିବା ପରେ ଆତଙ୍କ ସୃଷ୍ଟି ହୋଇଛି।
ଗତ ୧୦ତାରିଖରେ ହାତୀକୁ ପ୍ରଥମ ଥର ତେନ୍ତୁଳିଖୁଣ୍ଟି ବ୍ଲକ୍ରେ ଦେଖାଯାଇଥିଲା। ବାଟବଣା ହୋଇ ଏକୁଟିଆ ହୋଇଯାଇଥିବାରୁ ବନ ବିଭାଗ ଗତିବିଧି ଉପରେ ନଜର ରଖିଥିଲେ ସୁଦ୍ଧା ବାରମ୍ବାର ଚକମା ଦେଇ ଅନ୍ତର୍ଦ୍ଧାନ ହୋଇଯାଉଥିଲା। ୬ଦିନ ହେଲା ବନ ବିଭାଗ ସନ୍ଧାନ କରି ନାକେଦମ ହୋଇଥିବା ବେଳେ ଆଜି ପୋଡ଼ପାଣି ଜଙ୍ଗଲରେ ରହିଥିବା ଝରିଗାଁ ବନ ବିଭାଗ ଖବର ପାଇଥିଲା। କିନ୍ତୁ ବନ ବିଭାଗ ଟିମ୍ ପହଞ୍ଚିବା ପୂର୍ବରୁ ବୃଦ୍ଧାଙ୍କୁ ମାରି ସାରିଥିଲା ଦନ୍ତା।
ପ୍ରାଥମିକ ସୂଚନା ଅନୁସାରେ, ପୁଅ ବୁଦୁ ଭତ୍ରା ସହ ଆସୁମତି ଯୋଗୀପଦର ଗାଁକୁ ଗୋଟିଏ ଭୋଜିରେ ଯୋଗଦେବାକୁ ଯାଇଥିଲେ। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଗାଁଠାରୁ ପ୍ରାୟ ଅଧକିଲୋମିଟର ଦୂରରେ ଅଟୋରିକ୍ସା ରଖି ବୁଦୁ ଏବଂ ଆସୁମତି ଗାଁକୁ ଯାଇଥିଲେ। ଭୋଜି ଖାଇବା ପରେ ଚାଲିଚାଲି ଅଟୋ ନିକଟକୁ ଫେରିବା ସମୟରେ ପଛପଟୁ ହଠାତ୍ ହାତୀ ଆକ୍ରମଣ କରିଥିଲା। ତଳେ କଚାଡ଼ି ଦେଇ ଦଳି ଦେଇଥିଲା। ଅଳ୍ପ ଦୂରରେ ଥିବା ପୁଅ ବୁଦୁ ପ୍ରାଣ ବିକଳରେ ଗୋଟିଏ ଗଛ ଉପରେ ଚଢ଼ିଯିବାରୁ ବର୍ତ୍ତି ଯାଇଥିବା ଖବର ମିଳିଛି। ବନ ବିଭାଗକୁ ସୂଚନା ଦିଆଯିବାରୁ ଗୋଟିଏ ଟିମ୍ ଗାଁରେ ପହଞ୍ଚିଛି। ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇ ହାତୀର ସନ୍ଧାନ କରୁଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/ele-kkkkk.jpg)