ନାକଟିଦେଉଳ : ପୁଣି ହାତୀ ଆକ୍ରମଣରେ ଜଣେ ମୃତ

ନାକଟିଦେଉଳ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ତ ନାକ୍‌ଟିଦେଉଳ ରେଞ୍ଜ୍‌ ଅଞ୍ଚଳରେ ବର୍ଷ ତମାମ ହାତୀଙ୍କ ଉପଦ୍ରବ ଜାରି ରହୁଛି। ଦନ୍ତା ଆକ୍ରମଣରେ ଧନଜୀବନ ନଷ୍ଟ ହେଉଛି। ଶନିବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନାକ୍‌ଟିଦେଉଳ ଥାନା ସାଲେଭଟା ପଞ୍ଚାୟତ ବସାଲୋଇ ଗ୍ରାମର ବିରଞ୍ଚି ବାଦୀ(୫୮)। ଶୁକ୍ରବାର ଅପରାହ୍‌ଣ ପ୍ରାୟ ସାଢେ ୪ଟା ବେଳେ ବିରଞ୍ଚି ନିକଟସ୍ଥ ଗରିଆତୁପା ଆଟକୁ କେନ୍ଦୁପତ୍ର ଗୋଛା କାଟିବା ପାଇଁ ଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ।

ଶନିବାର ସକାଳେ ଗାଁଠାରୁ କିଛି ଦୂର ଗରିଆତୁପା ନିକଟରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ହାତୀ ଆକ୍ରମଣରେ ବିରଞ୍ଚିଙ୍କ ମୃତ୍ୟୁ ହୋଇଯାଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡ଼ୁଛି ବୋଲି ପରିବାର ଲୋକ କହିଛନ୍ତି। ଖବରପାଇ ନାକ୍‌ଟିଦେଉଳ ବନବିଭାଗ କର୍ମଚାରୀଙ୍କ ସହ ରେଞ୍ଜର୍‌ ଅଶ୍ବିନୀ ବେହେରା, ଥାନା ଅଧିକାରୀ ଇସ୍ମାଏଲ୍ ଏକ୍କା ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥିତି ଅନୁଧ୍ୟାନ କରି ବିରଞ୍ଚିଙ୍କ ମୃତଦେହ ଜବତ କରିଥିଲେ। ପୁଲିସ ଏକ ଅପମୃତ୍ୟୁ ମାମଲା ରଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ନିୟମ ଅନୁଯାୟୀ ଆବଶ୍ୟକ କ୍ଷତିପୂରଣ ଦିଆଯିବ ବୋଲି ରେଞ୍ଜର୍‌ ପ୍ରକାଶ କରିଛନ୍ତି। ଆଜି ମୃତକଙ୍କ ପରିବାରକୁ ନଗଦ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।

ସୂଚନାଥାଉ କି ଏହି ବନାଞ୍ଚଳରେ ଚଡ଼ଚଡ଼ି ଗ୍ରାମରେ ଜଣେ ବୃଦ୍ଧା, ଅଙ୍ଗାବିରା ଗ୍ରାମରେ ଜଣେ ଯୁବକ, ପ୍ରତାପପୁର ଗ୍ରାମରେ ଜଣେ ବୃଦ୍ଧ, ଡାହିମାଳ ଗ୍ରାମରେ ଜଣେ ବ୍ୟକ୍ତି, ଭେଟିଆବେର୍ଣ୍ଣି ଗ୍ରାମରେ ଜଣେ ବୃଦ୍ଧା, ହିତସରା ଗ୍ରାମରେ ଜଣେ ବୃଦ୍ଧା ଏବଂ ବିନ୍ଦପୁର ଗ୍ରାମରେ ଜଣେ ବ୍ୟକ୍ତି ଓ ଜଣେ ମହିଳାଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର