ବିଶ୍ରା ଅଂଚଳରେ ହାତୀ ଉପଦ୍ରବ

ଧାନ ବିଲରେ ଚାଷୀଙ୍କୁ କଚାଡ଼ି ମାରିଲା

ବିଶ୍ରା : ବିଶ୍ରା ବ୍ଲକ ଅନ୍ତର୍ଗତ ତୁଳସୀକାନି ପଞ୍ଚାୟତର ଝାରବେଡ଼ା ଗ୍ରାମର ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ଦୁଃଖଦ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣଙ୍କ ଝାରବେଡ଼ା ଗ୍ରାମର ଲୁକାଶ ମୁଣ୍ଡା ଓରଫ ଜାତେ ମୁଣ୍ଡା(୪୫)। ମିଳିଥିବା ସୂଚନାରୁ ପ୍ରକାଶ  ଗତ  ୩ ଦିନ ହେବ ଏକ ୭ ଜଣିଆ ହାତୀପଲ ବୁଢ଼ିକାନି ଜଙ୍ଗଲରେ ରହି  ନିକଟରେ ଥିବା ବିଭିନ୍ନ ଧାନ ବିଲରେ ଫସଲ ଖାଉଥିବାବେଳେ ଗତକାଲି ରାତିରେ ଏହି ହାତୀପଲ ଝାରବେଡ଼ା ମୁଣ୍ଡାଟୋଲିରେ ପ୍ରବେଶ କରିଥିଲେ। ହାତୀପଲ ଅମଳକ୍ଷମ ଧାନ ଫସଲ ସବୁ ନଷ୍ଟ କରି ଦେଉଥିବା ଖବର ପାଇ ଗାଁ ଲୋକେ ଏକାଠି ହୋଇ ନିଆଁ ହୁଳା ଜାଳି ବନ ବିଭାଗ କର୍ମଚାରୀଙ୍କ ସହାୟତାରେ ଘଉଡାଇଥିଲେ। ହାତୀପଲ ଓରାମଟୋଲି ରେଳଲାଇନ ପାର ହୋଇ ସରଣ୍ଡା ଜଙ୍ଗଲକୁ ଚାଲି ଯାଇଥିଲେ। ଉକ୍ତ ହାତୀପଲରୁ  ଗୋଟିଏ ହାତୀ ଅଙ୍ଗନବାଡି ଛତୁଆ ଖାଇ ରହିଯାଇଥିଲା।

ରାତି ପ୍ରାୟ ୩ଟା ସମୟରେ ଲୁକାଶ ଘର ପଦାକୁ ଆସିବା ମାତ୍ରେ ଉକ୍ତ ହାତୀ ସହ ମୁହାଁମୁହିଁ ହେବାରୁ ହାତୀଟି ତାଙ୍କୁ ଶୁଣ୍ଡରେ ଟେକି ନେଇ ନିକଟ ଧାନ ବିଲରେ କଚାଡ଼ି କଚାଡ଼ି ମାରି ଦେଇଥିଲା।  ସକାଳେ ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ଘର ଲୋକଙ୍କୁ ହସ୍ତାନ୍ତର କରିଥିଲେ।  ଏହି ଅବସରରେ ବନ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ଶେଷକୃତ୍ୟ ପାଇଁ ୧୦ ହଜାର ଟଙ୍କା, ରେଡ଼କ୍ରସ ପକ୍ଷରୁ ୫ ହଜାର ଏବଂ ପଞ୍ଚାୟତ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।  ଖବର ପାଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏମା ଏକ୍କା, ସୁରେଶ ଓରାମ, ପ୍ରେମା ଦାଶ, ସରିତା କେର୍କେଟା ପ୍ରମୁଖ  ଝାରବେଡ଼ାରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଅନ୍ୟ କ୍ଷତିଗ୍ରସ୍ତ ଚାଷୀଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ।

ସମ୍ବନ୍ଧିତ ଖବର