ଗଣିଆ : ଗଣିଆ ଥାନା ଉପର ହଦପଶି ଗ୍ରାମରେ ଗୋଷ୍ଠୀ ସଂଘର୍ଷରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଗୋଷ୍ଠୀର ୩ ଜଣ ମେଡିକାଲ୍ରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ମୃତକ ଜଣକ ଉପର ହଦପଶି ଗ୍ରାମର ଦଣ୍ଡଧର ବେହେରା ବୋଲି ଜଣାପଡ଼ିଛି। ତେବେ ମୃତକଙ୍କ ପରିବାର ତରଫରୁ ରବିବାର ଅପରାହ୍ଣ ୩ ଘଟିକା ସମୟରେ ଆଡ଼କଟା ଛକରେ ଶବରଖି କ୍ଷତିପୂରଣ ଦାବି କରିଛନ୍ତି। ଏପରିକି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ କରିବାକୁ ପରିବାର ତରଫରୁ ଦାବି ହୋଇଛି। ରାସ୍ତାରୋକ ଫଳରେ ଗଣିଆ-ଦଶପଲ୍ଲା ଉଭୟ ରାସ୍ତାରେ ଗାଡ଼ି ମୋଟର ଅଟକି ରହିଛି। ପରିସ୍ଥତି ଅଣାୟତ ହେବାରୁ ସେଠାରେ ପୁଲିସ ମୁତୟନ ହୋଇଛନ୍ତି।
ଘଟଣାରୁ ଜଣାପଡ଼ିଛି ଯେ, ଉପର ହଦପଶି ଗ୍ରାମର ଦଣ୍ଡଧର ବେହେରା ଓ ଚରଣ ବେହେରାଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା। ଶନିବାର ରାତିରେ ଚରଣ ବେହେରା କୌଣସି କାରଣରୁ ଦଣ୍ଡଧରଙ୍କ ସହିତ ପାଟିତୁଣ୍ଡ ଲାଗିବା ଫଳରେ ଦଣ୍ଡଧରଙ୍କ ଶଶୁର ବିକା ବେହେରା ଏହାକୁ ବିରୋଧ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଓ ମାଡ଼ପିଟ ହୋଇଥିଲା। ମୃତକ ଦଣ୍ଡଧର ବେହେରାଙ୍କ ପରିବାରର ଅଭିଯୋଗ ମୁତାବକ ଚରଣ ବେହେରା ଠେଙ୍ଗା, କାତି ଓ ରଡ୍ ନେଇ ଦଣ୍ଡଧରଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ଆକ୍ରମଣରେ ଦଣ୍ଡଧରଙ୍କ ଶଶୁର, ସ୍ତ୍ରୀ, ଶାଶୂ ଓ ଝିଅ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଦଣ୍ଡଧରଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଗଣିଆ, ନୟାଗଡ଼ ଓ ପରେ କଟକ ବଡ଼ ମେଡିକାଲ୍ ସ୍ଥାନାନ୍ତର କରାଯାଇଥିଲା। ତେବେ କଟକ ବଡ଼ ମେଡିକାଲରେ ଦଣ୍ଡଧର ବେହେରାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ରବିବାର ଅପରାହ୍ଣରେ ମୃତ ଦଣ୍ଡଧରଙ୍କ ପରିବାର ଲୋକେ ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କରିବା ସହିତ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ଉଭୟ ପରିବାର ପକ୍ଷରୁ ଗଣିଆ ଥାନାରେ ମାମଲା ରୁଜୁ ହୋଇଛି। ଏ ସଂପର୍କରେ ତଦନ୍ତକାରୀ ଏଏସ୍ଆଇ ଶ୍ରଦ୍ଧା ନାୟକଙ୍କୁ ପଚାରିବାରୁ, ଘଟଣାରେ ସଂପୃକ୍ତ ଗଦା ବେହେରାଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ୩ ଜଣ (ଚରଣ ବେହେରା, ନାରଣ ବେହେରା ଓ ମମତା ବେହେରା) ମେଡିକାଲରେ ଚିକିତ୍ସିତ ହେଉଥିବାରୁ ମେଡିକାଲ୍ରୁ ଆସିବା ପରେ ତାଙ୍କୁ ଗିରଫ କରାଯିବ ବୋଲି ସେ ଜଣାଇଛନ୍ତି। ଘଟଣାସ୍ଥଳରେ ଖଣ୍ଡପଡ଼ା ଏସ୍ଡିପିଓ ଶ୍ରୀନିବାସ ମହାନ୍ତି, ଗଣିଆ ଏଏସ୍ଆଇ ବାଳକୃଷ୍ଣ ଦାସ, କଣ୍ଟିଲୋ ଫାଣ୍ଡି ଅଧିକାରୀ ଜୟକୃଷ୍ଣ ପରିଡ଼ା ପ୍ରମୁଖ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଘଟଣାରେ ଜଣେ ଗିରଫ ହୋଇଛନ୍ତି ଓ ଯେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।