ପରିସ୍ରାକୁ ନେଇ ଗୋଷ୍ଠୀସଂଘର୍ଷ, ଜଣଙ୍କୁ ହତ୍ୟା; ୫ ରୁ ଅଧିକ ଅଟକ, ନଜରବନ୍ଦୀରେ ମୁଖ୍ୟ ଅଭିଯୁକ୍ତ

ପୁରୀ : ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଇଲାକାରେ ପରିସ୍ରାକୁ କେନ୍ଦ୍ରକରି ଗୋଷ୍ଠୀସଂଘର୍ଷ..ତା’ପରେ ହତ୍ୟାକାଣ୍ଡ। ଗତକାଲି ବିଳମ୍ବିତ ରାତି‌ରେ ଘଟିଥିବା ଏହି ଘଟଣାରେ ଦାମ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଛି। ପୁଲିସ୍‌ ୪ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

ଘଟଣା ଅନୁସାରେ, ମଧୁବନ ବାଲିଆ ଗାଁ’ର ତ୍ରିନାଥ ନାୟକ ଓ ତାଙ୍କ ଭାଇମାନେ ଧାନ ବାଡ଼େଇବା ପରେ ଗାଁ ମୁଣ୍ଡରେ ଥିବା କ୍ୟାବିନ୍‌ ପାଖରେ ଏକ ଗଦା ମାଡ଼ିଥିଲେ। ତ୍ରିନାଥ ଏହି କ୍ୟାବିନ୍‌ରେ ଶୋଇଥିଲେ। ବାଲିଆର ଦୁଃଶାସନ (ଧୁଶା) ବାରିକ ଓ ତାଙ୍କ ଇଟା ଭାଟିର ଶ୍ରମିକମାନେ ରାତି ପ୍ରାୟ ୨ଟାବେଳେ ଏହି ବାଟ ଦେଇ ଭାଟିକୁ ଯାଉଥିବାବେଳେ ଏହି କ୍ୟାବିନ୍‌ ଉପରକୁ ପରିସ୍ରା କରିଥିଲେ। କ୍ୟାବିନ୍‌ରେ ଶୋଇଥିବା ତ୍ରିନାଥଙ୍କ ଉପରେ ଏହି ପରିସ୍ରା ପଡ଼ିବାରୁ ସେ ନିଦରୁ ଉଠି ଧୁଶାଙ୍କୁ ପାଟି କରିଥିଲେ। ମାତ୍ର, ଧୁଶା ଓ ତାଙ୍କ ଶ୍ରମିକମାନେ ମିଶି ତାଙ୍କୁ ଠେଲାପେଲା କରି ଇଟାଭାଟିକୁ ଚାଲିଯାଇଥିଲେ।

ଏଥିରେ ଉତ୍‌କ୍ଷିପ୍ତ ହୋଇ ତ୍ରିନାଥ ତାଙ୍କ ଘରକୁ ଯାଇ ସମସ୍ତଙ୍କୁ ଏହି ଘଟଣା ସମ୍ପର୍କରେ କହିଥିଲେ। ଫଳରେ ତ୍ରିନାଥଙ୍କ ଭାଇ ଦାମ ନାୟକ, ପୁଅ ସୁଜିତ ନାୟକ ଓ ଭଣଜା ରାଜେଶ ପ୍ରଧାନ ମିଶି ଧୁଶାଙ୍କୁ ପଚାରିବାପାଇଁ ଇଟାଭାଟିକୁ ଯାଇଥିଲେ। ଏହି ସମୟରେ ଇଟାଭାଟିରେ ଧୁଶା ଓ ଅନ୍ୟମାନେ ବସି ମଦ ପିଉଥିଲେ। ତ୍ରିନାଥ, ଦାମ, ସୁଜିତ ଓ ରାଜେଶ ସେଠାରେ ପହଞ୍ଚି ଧୁଶାକୁ ପଚରାଉଚରା କରିବାରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହେବା ପରେ ହାତହତିଆର ଧରି ଉଭୟଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିଲା।

ଧୁଶା ଓ ତାଙ୍କ ଶ୍ରମିକମାନେ ମିଶି ବିଭିନ୍ନ ମାରଣାସ୍ତ୍ରରେ ଦାମଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ପ୍ରଥମେ ତାଙ୍କ ମୁଣ୍ଡକୁ ଶକ୍ତ ଆଘାତ କରିବା ପରେ ପୁନର୍ବାର ହାଣିବା ବେଳକୁ ଦାମ ବାମ ହାତ ଦେଖାଇ ଦେଇଥିଲେ। ଫଳରେ ତାଙ୍କ ବାମ ହାତ ହାଡ଼ କଟିଯାଇଥିଲା। ଏହା ପରେ ଦାମ ଘଟଣାସ୍ଥଳରୁ ଦୌଡ଼ିବାକୁ ଚେଷ୍ଟା କରିବା ବେଳକୁ ଧାରୁଆ ଅସ୍ତ୍ରରେ ତାଙ୍କର ଦୁଇ ପାଦକୁ ପ୍ରତିପକ୍ଷ ହାଣି ଦେଇଥିଲେ। ଫଳରେ ଦାମ ଆଉ ଘଟଣାସ୍ଥଳରୁ ଦୌଡ଼ି ପାରିନଥିଲେ। ଦାମଙ୍କର ଏଭଳି ଅବସ୍ଥା ଦେଖିବା ପରେ ଶ୍ରମିକମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ମାତ୍ର ଏହି ସଂଘର୍ଷରେ ଧୁଶା ଓ ତାଙ୍କ ଶ୍ରମିକ ରାକେଶ ନାୟକ ଗୁରୁତର ଆହତ ହୋଇଥିଲେ।

ସେମାନଙ୍କୁ ବିଳମ୍ବିତ ରାତିରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଏହି ଖବର ପାଇ ଚନ୍ଦନପୁର ଥାନା ପୁଲିସ ଡାକ୍ତରଖାନାକୁ ଆସି ଦାମଙ୍କ ଶବକୁ ଜବତ କରିବା ସହିତ ଧୁଷାଙ୍କୁ ନଜରବନ୍ଦୀ ରଖିଥିଲେ। ଏହି ଘଟଣାକୁ ନେଇ ମୃତ ଦାମଙ୍କ ଭାଇ ଶ୍ୟାମ ନାୟକ ଚନ୍ଦନପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ଚନ୍ଦନପୁର ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ସାଇଣ୍ଟିଫିକ୍‌ ଟିମ୍‌କୁ ଡକାଇ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ପୁଲିସ ଅନ୍ୟ ଚାରି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ହତ୍ୟାକାଣ୍ଡରେ ବ୍ୟବହୃତ ହାତ ହତିଆରକୁ ମଧ୍ୟ ପୁଲିସ ଖୋଜୁଛି। ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସର ଏକ ଟିମ୍‌ ଗଠନ କରିଛି।

ସମ୍ବନ୍ଧିତ ଖବର