ପିଲାଚୋର ସନ୍ଦେହରେ ଜଣଙ୍କୁ ପିଟିପିଟି ମାରିଦେଲେ ଗ୍ରାମବାସୀ, ଜୀବନ ସଂଗ୍ରାମରେ ଆଉ ଜଣେ

କାଶୀନଗର : ବିଳମ୍ବିତ ରାତିରେ ସନ୍ଦେହଜନକ ଭାବେ ଗ୍ରାମରେ ବୁଲୁଥିବା ୨ ଅଜଣା ବ୍ୟକ୍ତିଙ୍କୁ ପିଲାଚୋର ଭାବି ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଛନ୍ତି। ଗ୍ରାମବାସୀଙ୍କ ନିର୍ଘାତ ମାଡ଼ରେ ଜଣଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ଆଉ ଜଣେ ସଂକଟାପନ୍ନ ଅବସ୍ଥାରେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ କିଡ଼ିଗାଁରେ।

ସୂଚନା ପ୍ରକାରେ, ଗତକାଲି ବିଳମ୍ବିତ ରାତିରେ ଦୁଇ ଅଜଣା ବ୍ୟକ୍ତି କିଡ଼ିଗାଁ ଗ୍ରାମରେ ବୁଲୁଥିଲେ। ଗ୍ରାମବାସୀ ସେମାନଙ୍କୁ ସନ୍ଦେହ କରି ତାଙ୍କ ନାମ ଓ ଠିକଣା ପଚାରିଥିଲେ। ହେଲେ ସେମାନେ କିଛି କହିପାରି ନଥିଲେ। ପରେ ଗ୍ରାମବାସୀ ଉକ୍ତ ବ୍ୟକ୍ତିଙ୍କ ପାଖରେ ଥିବା ବ୍ୟାଗ୍‌କୁ ଯାଞ୍ଚ୍‌ କରିଥିଲେ। ଯାଞ୍ଚ୍‌ ବେଳେ ବ୍ୟାଗ୍‌ରୁ ଇଞ୍ଜେକ୍‌ସନ ଓ କିଛି ଆପତ୍ତିଜନକ ଜିନିଷ ମିଳିଥିଲା। ପରେ ଗ୍ରାମବାସୀ ସେମାନଙ୍କୁ ପିଲାଚୋର ଭାବି ସଂଘବଦ୍ଧ ଭାବେ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ। ଜୀବନ ବଞ୍ଚାଇବାକୁ ଉଭୟ ଯେତେ କାକୁତିମିନତି ହେଲେ ମଧ୍ୟ ଗ୍ରାମବାସୀ ଛାଡ଼ି ନଥିଲେ।

କୌଣସି ସୂତ୍ରରୁ ଖବର ପାଇ କାଶୀନଗର ଥାନାଧିକାରୀ ସୁଶାନ୍ତ ସାହୁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଥିବାରୁ ତାଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି। ପୁଲିସ କେସ୍ ନମ୍ବର୍ ୧୪୮ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଖବର ଲେଖାହେବା ସୁଦ୍ଧା ଉଭୟଙ୍କ ପରିଚୟ ମିଳିପାରିନି।

ସମ୍ବନ୍ଧିତ ଖବର