ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା କରଚୁଲି ପଞ୍ଚାୟତ କହ୍ନେଇପୁର ଗ୍ରାମରେ ବାର୍ହା ଶିକାର ପାଇଁ ପଡ଼ିଥିବା ବିଦ୍ୟୁତ୍ ଫାଶରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଜଣକ ହେଲେ, ଉକ୍ତ ଗ୍ରାମର ଦେବରାଜ ଗୌଡ଼ଙ୍କ ଏକମାତ୍ର ପୁଅ ଶ୍ରୀକାନ୍ତ ଗୌଡ଼ (୩୧)। ଏଥିରେ ପ୍ରକାଶ ଗୌଡ଼ ଆହତ ହୋଇଛନ୍ତି।
ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଶ୍ରୀକାନ୍ତ ଓ ପ୍ରକାଶ ଗ୍ରାମ ନିକଟ ପୋଖରୀକୁ ଯାଇଥିଲେ। ପ୍ରକାଶ ଶୌଚ ପାଇଁ ଅଟକିଥିବା ବେଳେ ଶ୍ରୀକାନ୍ତ ଆଗରେ ପୋଖରୀକୁ ଯାଉଥିଲେ। ତେବେ ଧରମା ପ୍ରଧାନଙ୍କ କ୍ଷେତରେ ପଡ଼ିଥିବା ବିଦ୍ୟୁତ୍ ତାରର ଫାଶରେ ଶ୍ରୀକାନ୍ତଙ୍କ ଗୋଡ଼ ଲାଗିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସେ ପ୍ରାଣ ହରାଇଥିଲେ। କିନ୍ତୁ ପ୍ରକାଶ ଏହା ଜାଣି ନଥିଲେ। କିଛି ସମୟ ପରେ ସେ ବି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ହେଲେ ମୁଣ୍ଡରେ ଭିଡ଼ିଥିବା ଶୁଖିଲା ଗାମୁଛା ଦ୍ବାରା ପ୍ରକାଶ ତାରକୁ ହଟାଇ ମୁକୁଳିଥିଲେ। କିନ୍ତୁ ଗୋଡ଼ରେ ଆଘାତ ଲାଗିଥିଲା। ସେପଟେ ପ୍ରକାଶଙ୍କୁ ନପାଇ ଶ୍ରୀକାନ୍ତ ଘରେ ପହଞ୍ଚି ଘରେ ସବୁ ଘଟଣା କହିଥିଲେ। ଏହାସହ ଶ୍ରୀକାନ୍ତଙ୍କ ସମ୍ପର୍କୀୟଙ୍କୁ ସୂଚନା ଦେଇଥିଲେ। ପରେ ଶ୍ରୀକାନ୍ତଙ୍କ ଶବକୁ ବିଦ୍ୟୁତ୍ ଫାଶରେ ଫସିଥିବା ଅବସ୍ଥାରେ ହିଁ ଉଦ୍ଧାର କରାଯାଇଥିଲା। ପୁଲିସ ଓ ଦମକଳବାହିନୀ ପହଞ୍ଚି ରାତି ସାଢ଼େ ୧୧ଟାରେ ଶବକୁ ଡାକ୍ତରଖାନା ଆଣିଥିଲେ। ଏନେଇ ବୁଗୁଡ଼ା ଥାନାରେ କେସ୍ ନମ୍ବର ୬୨୫ ଅନୁସାରେ ଏକ ମାମଲା ରୁଜୁ ସହ ଘଟଣାସ୍ଥଳରୁ ବିଦ୍ୟୁତ ତାର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।
ତେବେ ଏଠାରେ ବାର୍ହା ପାଇଁ ବିଦ୍ୟୁତ୍ ତାର କିଏ ବିଛାଇଥିଲା, ଏନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇପାରିନି। ଘଟଣା ସନ୍ଦେହ ଘେରରେ ଥିବା ଆହତ ପ୍ରକାଶଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ମୃତ ଶ୍ରୀକାନ୍ତ ଗ୍ରାମରେ ଏକ କୁକୁଡ଼ା ଫାର୍ମ କରିଥିବା ତାଙ୍କର ବାହାଘର ଠିକ୍ ହୋଇଥିଲା। ଆସନ୍ତା ୧ ତାରିଖରେ ନିର୍ବନ୍ଧ ହେବାର ଥିଲା। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଏହି ଘଟଣା ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/dead.jpg)