କଟକ: କଟକରେ 'ଅମ୍ଫାନ' ପ୍ରଭାବରେ ଗତକାଲି ରାତିରୁ ପବନ ବହିବା ସହିତ ଆଜି ପ୍ରବଳ ବର୍ଷା ହୋଇଛି। ଗତକାଲିରୁ ଆଜି ମଧ୍ୟରେ ୬୮ ମି.ମି.ରୁ ଅଧିକ ବର୍ଷା ହୋଇଛି। କଟକ ସହରର ଦୋଳମୁଣ୍ଡାଇ, ସିଟି ହସ୍ପିଟାଲ, ସିଡିଏ ଓ ମହାନଦୀବିହାର ଅଞ୍ଚଳରେ ଗଛ ଉପୁଡି ପଡ଼ିଥିବାବେଳେ କେତେକ ସ୍ଥାନରେ ସାଇନ-ବୋର୍ଡ ଉଡ଼ିଯାଇଛି। କିନ୍ତୁ ଜିଲ୍ଳାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ନିଆଳି ବ୍ଲକ। ନିଆଳି ବ୍ଲକ୍ରେ ହଜାରେରୁ ଅଧିକ ପାନ ବରଜ ନଷ୍ଟ ହୋଇଥିବାବେଳେ ନଡ଼ିଆ ବାହୁଙ୍ଗା ପଡ଼ି ଦେବୀ-କନ୍ଦଳ ଦ୍ବୀପାଂଚଳ ଏକବେରୁଁଆ ପଂଚାୟତ ନାଟୀ ଗ୍ରାମର ବୃଦ୍ଧା ଖୁଦ ସାବୁତ(୭୧)ଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। କିନ୍ତୁ ଏହାକୁ ପ୍ରଶାସନ ପକ୍ଷରୁ ଅସ୍ବୀକାର କରାଯିବା ସହ ଏହା ସ୍ବାଭାବିକ ମୃତ୍ୟୁ ବୋଲି ନିଆଳି ତହସିଲଦାର ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାରେ କଚ୍ଚା, ଝୁମ୍ପୁଡି ଘରେ ରହୁଥିବା ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ବିଭିନ୍ନ ଆଶ୍ରୟସ୍ଥଳୀରେ ରଖାଯାଇ ଶୁଖିଲା ଖାଦ୍ୟ ଦିଆଯାଇଥିଲା। ୧୧୨ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଅବସ୍ଥାରେ ସିଟି ହସ୍ପିଟାଲ ଓ ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସହରର ରକ୍ସିଲେନ୍, ବାଦାମ୍ବାଡି, ନୂଆରାଉସାପାଟଣା, ରାଉସାପାଟଣା, ପଟ୍ଟାପୋଲ, ସିଟି ହସ୍ପିଟାଲ ତଥା ବିଭିନ୍ନ ଅଂଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। କଟକରେ ଗତକାଲି ରାତିରୁ ବର୍ଷା ସହ ପବନ ଆରମ୍ଭ ହୋଇଥିଲା। ସକାଳୁ ପବନର ବେଗ ବଢିବା ସହ ବର୍ଷାର ପରିମାଣ କିଛିଟା ବଢିଥିଲା। ଗତକାଲି ସକାଳ ୮ଟାରୁ ଆଜି ସକାଳ ୮ଟା ପର୍ଯ୍ୟନ୍ତ ୪୩.୪୯ମିମି ବର୍ଷା ହୋଇଥିଲା। ତେବେ ସକାଳ ୮ଟାରୁ ଅପରାହ୍ନ ପର୍ଯ୍ୟନ୍ତ ୨୫.୩୩ମିମି ବର୍ଷା ହୋଇଥିଲା। ପବନର ବେଗ ୪୦ରୁ ୫୦ କିଲୋମିଟର ଭିତରେ ରହିଥିବାବେଳେ ସାରା ଜିଲ୍ଲାରେ ବିଦ୍ୟୁତ୍ କାଟ ହୋଇଥିଲା। ସାଲେପୁର, ନିଆଳି, ମାହାଙ୍ଗା, ନିଶ୍ଚିନ୍ତକୋଇଲି, କଟକ ସଦର, କଣ୍ଟାପଡା ତଥା କିଛି ସ୍ଥାନରେ ବଡ ବଡ ଗଛ ସବୁ ଉପୁଡ଼ିପଡ଼ିବା ଫଳରେ ରାସ୍ତା ଜାମ୍ ସମସ୍ୟା ଦେଖିବାକୁ ମିଳିଥିଲା। ଜିଲ୍ଲାର ନିଆଳି, କଟକ ସଦର, କଣ୍ଟାପଡା, ମାହାଙ୍ଗା, , ନିଶ୍ଚିନ୍ତକୋଇଲି, ସାଲେପୁର ବ୍ଲକ୍ର ବିଭିନ୍ନ ସ୍ଥାନରୁ କଚ୍ଚା ଘରେ ରହୁଥିବା ୭୩୨୯ଜଣ ଲୋକଙ୍କୁ ସକାଳ ୯ଟା ସୁଦ୍ଧା ସ୍ଥାନାନ୍ତର କରାଯାଇଥିଲା। ପରେ ପୁଣି ୩ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ଶୁଖିଲା ଖାଦ୍ୟ ଦିଆଯାଇଥିବା ପ୍ରଶାସନ ସୂତ୍ରରୁ ଜଣାପଡିଛି। ଜିଲ୍ଲାର ନିଆଳି ବ୍ଲକ୍ରେ ସର୍ବାଧିକ ୫୩ ମିମି, କଣ୍ଟାପଡାରେ ୪୩ ମିମି, ବାରଙ୍ଗରେ ୪୧ ମିମି, କଟକ ସଦରରେ ୩୭ମିମି, ଆଠଗଡ଼ରେ ୨୭ମିମି, ତିଗିରିଆରେ ୧୮ ମିମି, ଡମପଡାରେ ୧୫ମିମି, ଟାଙ୍ଗୀରେ ୨୨ ମିମି, ସାଲେପୁରରେ ୨୩ମିମି, ନିଶ୍ଚିନ୍ତକୋଇଲିରେ ୨୬.୩ ମିମି, ମାହାଙ୍ଗାରେ ୨୩ମିମି, ବଡମ୍ବାରେ ମାତ୍ର ୧ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ନରସିଂହପୁର ବ୍ଲକ୍ରେ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଆଦୌ ବର୍ଷା ହୋଇନଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/unnamed-file-7.jpg)