ଦୁର୍ଘଟଣା-ଅଘଟଣ: ବାଇକ୍‌ ଆରୋହୀଙ୍କ ଉପରେ ପିକ୍‌-ଅପ୍‌ ଚଢ଼ିବାରୁ ଜଣେ ମୃତ, ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ

ମାଲକାନଗିରି: ଏମଭି-୧୬ ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଶବ ରଖି  ରାସ୍ତା ଅବରୋଧ କରିଛନ୍ତି। ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମାଲକାନଗିରି ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥର ଏମଭି ୧୬ ନମ୍ବର ଛକ ନିକଟରେ ଏଭଳି ଏକ ସଡ଼କ ଦୁର୍ଘଟଣା ଆଜି ଘଟିଯାଇଛି।

ତେବେ ବାଇକ୍‌ ଆରୋହୀ ଶିଖପାଲ୍ଲି ହାଟରୁ ଫେରୁଥିବା ସମୟରେ ମାଲକାନଗିରି ଆଡ଼ୁ ଏକ ପାଇପ ବୋଝେଇ ପିକଅପ୍ ଭାନ କାଲିମେଳା ଅଭିମୁଖେ ଯାଉଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଯାଇଛି। ଚାରିଚକିଆ ଗାଡିଟିର ସାମ୍ନା ଅଂଶ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଗାଡିର ଧକ୍କାରେ ବାଇକ୍‌ ଆରୋହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ନାମ ଅଜିତ ଡାଲି ହୋଇଥିବା ବେଳେ ସେ ଏମଭି ୧୫ ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି। ଘଟଣାସ୍ଥଳରେ ସମ୍ପର୍କୀୟ ତଥା ସ୍ଥାନୀୟ ଲୋକଙ୍କ ଉତ୍ତେଜନା ସୃଷ୍ଟି ହୋଇଛି।

ତେବେ ମାଲକାନଗିରି ସଦର ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚବା ସହ ଲୋକଙ୍କ ଭିଡକୁ ନେଇ ଅଧିକରୁ ଅଧିକ ପୁଲିସ ମୁତୟନ କରାଯାଇଥିଲା। ଏଥି ସହିତ ସମ୍ପର୍କୀୟମାନେ କ୍ଷତିପୂରଣ ଦାବି କରି ଶବକୁ ନେଇ ରାଜରାସ୍ତାକୁ ଅବରୋଧ କରିଥିଲେ, ଯେଉଁଥିପାଇଁ ରାସ୍ତର ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଥିଲା। ପରେ ଆଇଆଇସି ରିଗାନ କିଣ୍ଡୋଙ୍କ ନେତୃତ୍ବରେ ଦୁଇ ପକ୍ଷଙ୍କୁ ବୁଝାସୁଝା କରାଯିବା ସହ ପିକଅପ ଭ୍ୟାନ ଗାଡି ମାଲିକ କ୍ଷତିପୂରଣ ଦେବାକୁ ରାଜି ହେବା ପରେ ରାସ୍ତାରୁ ଲୋକେ ହଟିଥିଲେ।

ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନ ହେଲା ଲଗାଣ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏପିରିକ କାଲିମେଳା ଓ ପଡିଆ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସମୟରେ କୋରକୋଣ୍ଡା ବ୍ଲକର ଏମଭି-୩୧ ଗ୍ରାମରେ ବହିଯାଉଥିବା ଏକ ନଦୀରେ ମାଛ ଧରିବାକୁ ଯାଇ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଥିଲେ। ତୁରନ୍ତ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ତେବେ ବ୍ୟକ୍କି ଜଣକ ମୃତ୍ୟୁବରଣ କରିଥିବା ଜଣାପଡିଥିଲା। ମୃତ ବ୍ୟକ୍ତି ଜଣକ ହେଲେ ଏମଭି-୩୧ ଗ୍ରାମର ଜଗନ୍ନାଥ ଗୌଡ। ପ୍ରବଳ ବର୍ଷା ଯୋଗୁଁ ପାହାଡିଆ ନାଳରେ ପ୍ରଖର ସ୍ରୋତ ପ୍ରବାହିତ ହେଉଥିଲା। ତେବେ ଜଗନ୍ନାଥଙ୍କ ଗୋଡ ଖସିଯାଇଥିବାରୁ ହୁଏତ ସେ ପାଣିରେ ଭାସିଯାଇଥିଲେ ବୋଲି ଆଲୋଚନା ହେଉଛି। ତେବେ ମୃତ ଜଗନ୍ନାଥର ଶବକୁ ମାଲକାନଗିରି ପୁଲିସ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି। ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା କୁହାଯାଇଛି।

ସମ୍ବନ୍ଧିତ ଖବର