ଖୁଣ୍ଟରୁ ପଡ଼ି ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ପୁରୀ: ସାମୁଦ୍ରିକ ଝଡ଼ବାତ୍ୟା ‘ଫନି’ ଦ୍ବାରା କ୍ଷତିଗ୍ରସ୍ତ ବିଦ୍ୟୁତ୍ ତାର ମରାମତି ସମୟରେ ପୁରୀ ପୌରାଞ୍ଚଳ ଅନ୍ତର୍ଗତ ବାଲିନୋଳିଆ ସାହିର ମଙ୍ଗରାଜ ରାଓ (୨୫)ଙ୍କର ବିଦ୍ୟୁତ୍ ଖୁଣ୍ଟରୁ ପଡ଼ି ମୃତ୍ୟୁ ହୋଇଛି। ମୃତକଙ୍କ ପରିବାର ଲୋକେ ଓ ସହଯୋଗୀମାନେ କ୍ଷତିପୂରଣ ଦାବିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ରାସ୍ତାରୋକ କରିଛନ୍ତି। ଏହି ଛକ ପୁରୀ ସହରକୁ ପ୍ରବେଶ ଓ ବାହାରିବାର ମୁଖ୍ୟ ରାସ୍ତା ହୋଇଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା ଜାରି ରଖିଛି।

ବାତ୍ୟା ‘ଫନି ପୁରୀ ଜିଲ୍ଲାରେ ବିଦ୍ୟୁତ୍ ଭିତ୍ତିଭୂମିକୁ ପୂରା ଦୋହଲାଇ ଦେଇଛି। ବିଦ୍ୟୁତ୍ ଖୁଣ୍ଟ ସାଙ୍ଗକୁ ତାର, ଟ୍ରାନ୍ସଫର୍ମର, ଗ୍ରିଡ୍ ଷ୍ଟେସନରେ ବ୍ୟାପକ କ୍ଷୟକ୍ଷତି କରିଛି। ମିଳିଥିବା ସୂଚନା ମୁତାବକ, ମଙ୍ଗରାଜ ଘୋଡ଼ାବଜାରସ୍ଥିତ ଫେଡ୍‌କୋ କାର୍ଯ୍ୟାଳୟରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ। ଆଜି ଅପରାହ୍ଣ ସାଢ଼େ ୪ଟାରେ ଭିଆଇପି ରୋଡ୍ ପୁଲିସ ବାରାକ୍‌ ନିକଟରେ ସେ ବିଦ୍ୟୁତ ଖୁଣ୍ଟରେ ଚଢ଼ି ଫନି ପ୍ରଭାବିତ ଅସଜଡ଼ା ତାରକୁ ସଜାଡ଼ୁଥିଲେ। ଏହି ସମୟରେ ହଠାତ୍ ସେ ଖୁଣ୍ଟରୁ ଖସି ତଳେ କଚାଡ଼ି ହୋଇ ପଡ଼ିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ୧୨ ଦିନ ହେଲା ପୁରୀ ଜିଲ୍ଲା କିଟିମିଟି ଅନ୍ଧାର ଭିତରେ ଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ବିଜୁଳି ପୁନରୁଦ୍ଧାର କାମ ଚାଲିଛି। ଏଭଳି ପରିସ୍ଥିତିରେ ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟୁ ସମସ୍ତଙ୍କୁ ମର୍ମାହତ କରିଛି। ଏହି ଖବର ଲେଖା ହେବା ବେଳକୁ ଆନ୍ଦୋଳନ ଜାରି ରହିଥିଲା।

ସମ୍ବନ୍ଧିତ ଖବର