ପୁରୀ: ଶ୍ରୀମନ୍ଦିର ବୋଝିଆଙ୍କ ମୃତ୍ୟୁ, ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ବିଭିନ୍ନ ଦାବି

ପୁରୀ: ଶ୍ରୀମନ୍ଦିରରେ ବୋଝିଆ ଭାବରେ କାର୍ଯ୍ୟରତ ଥିବା ପ୍ରସନ୍ନ ବରାଳଙ୍କ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ(ଏମ୍‌ସ)ରେ ମୃତ୍ୟୁ ହୋଇଯାଇଛି। ଏହି ଘଟଣାକୁ ନେଇ ବୋଝିଆ ସଂଗଠନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ବିଭିନ୍ନ ଦାବି କରିଛି। ଫଳରେ ଘଟଣାସ୍ଥଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ଉତ୍ତେଜନା ଦେଖାଯାଇଥିବାରୁ ପୁଲିସ ମୁତୟନ ହୋଇଛନ୍ତି।

ଆନ୍ଦୋଳନରେ ସାମିଲ ହୋଇଥିବା ପ୍ରାୟ ୨୦୦ରୁ ଅଧିକ ବୋଝିଆଙ୍କ ଦାବି ଯେ ଯେଉଁରାସ୍ତା ଦେଇ ସେମାନେ ରୋଷ ଗୃହରୁ ଭେଗମଣ୍ଡପ ଯାଆନ୍ତି, ତାହାର ଅବସ୍ଥା ଦୟନୀୟ ହୋଇଛି। ମରାମତି ହେଉ ନଥିବାରୁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ବୋଝିଆଙ୍କୁ ପ୍ରଶାସନ ସବୁବେଳେ ଅଣଦେଖା କରୁଛି। ସେହିଭଳି ସାଧାରଣ ଲୋକଙ୍କ ପାଇଁ ବୀମା ଓ ଭତ୍ତା ବ୍ୟବସ୍ଥା ଥିବା ବେଳେ, ଅବଢ଼ା ବ୍ୟବସାୟଙ୍କ ନିକଟରେ କାମ କରୁଥିବା ବୋଝିଆଙ୍କୁ ଏହି ସୁବିଧାରେ ସାମିଲ କରାଯାଇ ନାହିଁ। ମୃତ ପ୍ରସନ୍ନ ବରାଳଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସଂଗଠନ ଦାବି କରିଛି।

ସୂଚନାଯୋଗ୍ୟ ମହାପ୍ରସାଦ ନେଇ ଭୋଗମଣ୍ଡପରୁ ଆନନ୍ଦବଜାର ଯାଉଥିବା ବେଳେ ଅନନ୍ତଶୟନ ସମ୍ମୁଖରେ ସଦର ଥାନା ଅନ୍ତର୍ଗତ କଣ୍ଠପୁର ଗାଁର ପ୍ରସନ୍ନ ବରାଳ ଝୁଣ୍ଟି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଅଣ୍ଟାରୁ ତଳକୁ ପାରାଲିସସ୍‌ ରୋଗର ସମ୍ମୁଖୀନ ହୋଇଥିଲେ। ପରେ ତାଙ୍କୁ ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପ୍ରସନ୍ନଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର