ପାଣିକୋଇଲି : ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଟୋଲପ୍ଲାଜା ନିକଟସ୍ଥ ସିଙ୍ଗଡ଼ା ଗଳିପୋଲ ଉପରେ ମଙ୍ଗଳବାର ମଧ୍ୟାହ୍ନରେ ଏକ ଅଟୋ ସହ ଗୋଟିଏ ବାଇକ୍ର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହେବା ସହ ଅଟୋ ଚାଳକ ଗୁରୁତର ଆହତ ହୋଇଥିଲେ। ମୃତ ବାଇକ୍ ଆରୋହୀ କେନ୍ଦ୍ରାପଡ଼ା ଅଞ୍ଚଳର ସୌଭାଗ୍ୟ ନାୟକ ଓ ଗୁରୁତର ଅଟୋ ଚାଳକ ବାଲିପାଟଣା ଗ୍ରାମର ଶ୍ରୀକାନ୍ତ ପରିଡ଼ା। ବାଇକ୍ ପଛରେ ବସିଥିବା କେନ୍ଦ୍ରାପଡ଼ା ଅଞ୍ଚଳର ଗଣେଶ୍ବର ଖଟୁଆ ମଧ୍ୟ ଆହତ ହୋଇଥିଲେ।
ପ୍ରକାଶ ଯେ, ଜାତୀୟ ରାଜପଥ କାମ ଚାଲୁଥିବାରୁ ଏହି ଗଳିପୋଲ ଉପରେ ଗୋଟିଏ ରାସ୍ତାରେ ଉଭୟ ପଟର ଗାଡ଼ି ଯାତାୟାତ କରୁଛି। ପାଣିକୋଇଲି ପଟୁ ସୌଭାଗ୍ୟ ଓ ଗଣେଶ ବାଇକ୍ରେ ଯାଉଥିବା ବେଳେ ବିପରୀତ ଦିଗରୁ ଓଡି-୧୪ଏ-୮୬୩୭ ନମ୍ବର ଅଟୋ ଆସୁଥିଲା। ପୋଲ ଉପରେ ଏକ ଟ୍ରଲର ସାଇଡ୍ ମାରିବା ଯୋଗୁଁ ଅଟୋଟି ଓଲଟି ପଡ଼ିଥିଲା। ଏହି ସମୟରେ ସମ୍ମୁଖରୁ ଆସୁଥିବା ବାଇକ୍ ଚାଳକ ଧକ୍କା ଖାଇ ଅଟୋ ମଧ୍ୟରେ ପଶି ଯାଇଥିଲେ। ଗୁରୁତର ଅବସ୍ଥାରେ ବାଇକ୍ ଚାଳକ ଓ ଅଟୋ ଚାଳକଙ୍କୁ ଜାତୀୟ ରାଜପଥ ଆମ୍ବୁଲାନ୍ସରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ସୌଭାଗ୍ୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ଅଟୋ ଚାଳକ ଶ୍ରୀକାନ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପାଣିକୋଇଲି ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ ଅଟୋକୁ ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/accident.jpg)