ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ

ପଦ୍ମପୁର : କେନ୍ଦୁଝର ବାଂଶପାଳ ବ୍ଲକ୍‌ ସାପକଣ୍ଟା ନିକଟରେ ବାଇକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟଜଣେ ଗୁରୁତର ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ମୃତକ ଜଣଙ୍କ ହେଲେ ସଦର ଥାନା ଅନ୍ତର୍ଗତ ଶୁଆକାଟି ପଞ୍ଚାୟତ ଲୁଣଘର ପ୍ରତିବାଡ଼ି ସାହିର କାନ୍ଦୁରୁ ମଳିକଙ୍କ ପୁଅ ସୁରେଶ ମଳିକ(୨୨)। ଗୁରୁତର ଜଣଙ୍କ ହେଲେ ବିଦେଶୀ ଧାଙ୍ଗଡ଼ଙ୍କ ପୁଅ ରୁଞ୍ଜ ଧାଙ୍ଗଡ(୨୧)।

ଗତକାଲି ଅପରାହ୍ଣ ପ୍ରାୟ ସାଢେ ୩ଟା ବେଳେ ସୁରେଶ ମଳିକଙ୍କ ଦାଦା ମାଧ ମଳିକ ମୃତ୍ୟୁବରଣ କରିଥିବାରୁ ତାଙ୍କର ଶୁଦ୍ଧିକ୍ରିୟା ପାଇଁ ବନ୍ଧୁବାନ୍ଧବଙ୍କ ଘରକୁ ଖବର ଦେବାକୁ ଯାଉଥିଲେ। ତେବେ ସେହି ସମୟରେ ସାପକଣ୍ଟା ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଉଭୟ ତଳେ ପଡ଼ି ଗୁରୁତର ହୋଇଥିଲେ। ଉପସ୍ଥିତ ଲୋକେ ଗୁରୁତରଙ୍କୁ ପ୍ରଥମେ ୧୦୮ ଆମ୍ବୁଲାନ୍ସ ଯୋଗେ ବାଂଶପାଳ ଡାକ୍ତରଖାନାକୁ ପଠାଇଥିଲେ। ଅବସ୍ଥା ଉଦ୍‌ବେଗଜନକ ହେବାରୁ ଡାକ୍ତର ଉଭୟଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଏଠାରେ ଚିକିତ୍ସା ଆରମ୍ଭ ପୂର୍ବରୁ ସୁରେଶ ମଳିକଙ୍କ ମୃତ୍ୟୁ ଘଟିଛି। ଗୁରୁତର ରୁଞ୍ଜ ଧାଙ୍ଗଡଙ୍କ ଚିକିତ୍ସା ଚାଲିଛି। ଖବର ପାଇ ସଦର ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ମୃତଦେହ ପରିବାର ହସ୍ତାନ୍ତର କରିଛି। ଏନେଇ ସଦର ଥାନାରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର