ଟ୍ରକ ଧକ୍କାରେ ଜ୍ୱାଇଁଙ୍କ ମୃତ୍ୟୁ, ଶାଶୁ ଗୁରୁତର

ତେଲକୋଇ/ଜଗମୋହନପୁର : ଗୁରୁବାର ଅପରାହ୍ଣରେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ ଜଗମୋହନପୁର ଛକରେ ଟ୍ରକ୍ ଧକ୍କାରେ ଜ୍ୱାଇଁଙ୍କର ମୃତ୍ୟୁ ଘଟିଥିବା ବେଳେ ଶାଶୁ ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ୫ ଘଣ୍ଟାକାଳ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ମୃତକ ହେଲେ ତେଲକୋଇ ଥାନା କାଳିଆହତା ପଞ୍ଚାୟତ କାଟିଣି ଗ୍ରାମର ଭିକାରି ଚରଣ ଦେହୁରୀ(୪୫) ଓ ଗୁରୁତର ଜଣକ ହେଲେ ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଜୋକପାଣି ଗ୍ରାମର ମଲ୍ଲି ଦଣ୍ଡପାଟ(୬୫)।

ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ଣ ସାଢେ ୧୨ଟା ବେଳେ ଶାଶୁ ମଲ୍ଲିଙ୍କୁ ବାଇକ୍(ଓଆର ୦୯ ଡି ୦୪୧୨) ଯୋଗେ ତେଲକୋଇ ଡାକ୍ତରଖାନାକୁ ନେଉଥିଲେ। ସେ ଜଗମୋହନପୁର ଛକରେ ୪୯ ନଂ ଜାତୀୟ ରାଜପଥ ପାର ହେଉଥିବା ବେଳେ ଏକ ଲୁହାପଥର ବୋଝେଇ ଟ୍ରକ(ଓଡି ୦୯ କେ ୭୮୨୨) ତାଙ୍କୁ ଧକ୍କା ଦେଇଥିଲା। ଶାଶୁ ମଲ୍ଲି ରାସ୍ତା ଉପରେ ଛିଟିକି ପଡ଼ିବା ବେଳେ ବାଇକ୍ ସହିତ ଜ୍ୱାଇଁକୁ ପ୍ରାୟ ୧୦୦ ଫୁଟ ଦୂରକୁ ଟ୍ରକଟି ଘୋଷାରି ନେଇଥିଲା। ଘଟଣାସ୍ଥଳରେ ଜ୍ବାଇଁଙ୍କ ମୃତ୍ୟୁ ଘଟିଥିଲା। ଏନଏଚଆଇ ଆମ୍ବୁଲାନ୍ସ ଯୋଗେ ଆହତ ଶାଶୁଙ୍କୁ ନିଆଯାଇ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ମଲ୍ଲିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ସେପଟେ ସ୍ଥାନୀୟ ଲୋକେ ହମ୍ପସ ଓ ବାରିକେଡ଼୍ ନିର୍ମାଣ ଦାବିରେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ଫଳରେ ଉଭୟ ପାର୍ଶ୍ଵରେ ଶହଶହ ଗାଡ଼ି ମଟର ଅଟକି ରହିଥିଲା। ପୁଲିସ ଓ ପ୍ରଶାସନ ପକ୍ଷରୁ ରାସ୍ତା ଅବରୋଧ ହଟେଇବାକୁ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରାଯାଇଥିଲେ ମଧ୍ୟ ହମ୍ପସ ଓ ବାରିକେଡ଼ ନିର୍ମାଣ ଦାବିରେ ଲୋକେ ଅଡି ବସିଥିଲେ। ଫଳରେ ରାସ୍ତା ନିର୍ମାଣ ଠିକା ସଂସ୍ଥା ମଣ୍ଟେକାର୍ଲୋ ମେଣ୍ଟେନାନ୍ସ ଟିମ୍ ପ୍ରୋଜେକ୍ଟ ମ୍ୟାନେଜର ପ୍ରଦୀପ କୁମାର ରଣସିଂହ ପହଞ୍ଚି ବାରିକେଡ଼୍ କରିବା ସହିତ ୨୪ ଘଣ୍ଟା ମଧ୍ୟରେ ହମ୍ପସ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେବାରୁ ଦୀର୍ଘ ୫ ଘଣ୍ଟା ପରେ ସନ୍ଧ୍ୟା ପ୍ରାୟ ସାଢେ଼ ୫ଟାରେ ରାସ୍ତା ଅବରୋଧ ହଟିଥିଲା। ମୃତକଙ୍କ ପରିବାରକୁ ରେଡକ୍ରସ ତରଫରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ତେଲକୋଇ ଅତିରିକ୍ତ ତହସିଲଦାର ପୁରୁଷୋତ୍ତମ ନାୟକ,ଏସ୍‌ଡିପିଓ ମହେନ୍ଦ୍ରନାଥ ମୁର୍ମୁ, ଆଇଆଇସି ସାଇପ୍ରଭା ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର