ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା-ରାମପୁର ମୁଖ୍ୟରାସ୍ତା ଜାମପାଲି ପାଓ୍ବାର ଗ୍ରିଡ ପାଖରେ ଏକ ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଜୟଦେବ ଭୁଜ (୩୫)। ଗୁରୁତରଙ୍କ ନାମ ହେମସାଗର ଭୁଏ।

Advertisment

ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିନ୍ଦୁରପୁର ପଞ୍ଚାୟତ ଚେରୁପାଲି ଗାଁର ଜୟଦେବ ଭୁଜ ଓ ହେମସାଗର ଭୁଏ ଏକ ବାଇକ୍‌ (ଓଡି ୩୧ ଜେ ୨୦୭୯)ରେ ଚେରୁପାଲି ନାଏକେନପାଲିକୁ ଏକ ବାହାଘରରେ ଯୋଗ ଦେବାକୁ ଯାଉଥିଲେ। ବିନିକା-ରାମପୁର ରାସ୍ତା ଉମାବିଷ୍ଣୁ ରାଇସମିଲ ପାଖରେ ପଛପଟୁ ଆସୁଥିବା ଦ୍ରୁତଗାମୀ ଟ୍ରକ୍‌ (ଡବ୍ଲୁବି ୧୧ଡି ୨୮୬୬) ସେମାନଙ୍କୁ ଧକ୍କା ଦେଇଥିଲା। ଟ୍ରକ୍‌ଟି ଉଭୟ ଜୟଦେବ ଓ ହେମସାଗରଙ୍କ ଉପରେ ମାଡ଼ି ଯାଇଥିଲା। ବିନିକା ଅଗ୍ନିଶମ ବାହିନୀ ପହଞ୍ଚି ଉଭୟଙ୍କୁ ବିନିକା ଡାକ୍ତରଖାନାକୁ ଆଣିଥିଲେ। ଜୟଦେବଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସହଯୋଗୀଙ୍କୁ ଚିକିତ୍ସା କରାଯାଇଥିଲା। ପୁଲିସ ଡାକ୍ତରଖାନାରୁ ମୃତଦେହକୁ ଜବତ କରିବା ସହ ଘଟଣାସ୍ଥଳରୁ ଟ୍ରକ୍ ଓ ବାଇକୁ ଜବତ କରି ତଦନ୍ତ ଜାରି ରଖିଥିବା ବିନିକା ଏସ୍‌ଆଇ ରବୀନ୍ଦ୍ର ସାହୁ ସୁଚନା ଦେଇଛନ୍ତି।