ଶ୍ବଶୁର ଘରୁ ଫେରିବା ବାଟରେ ଟ୍ରକ ଧକ୍କାରେ ମୃତ୍ୟୁ

କାଳିଆପାଣି : ଫୁଟ୍‌ବଲ୍‌ ଖେଳରେ ଜିତାପଟ ପରେପରେ ଶ୍ବଶୁର ଘରେ ଚର୍ଚ୍ଚା ହୋଇ ଖୁସିରେ ଗାଁକୁ ଫେରିବା ବାଟରେ ଦୁର୍ଘଟଣାରେ ଜ୍ବାଇଁଙ୍କ ଜୀବନ ଚାଲିଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି କାଳିଆପାଣି ଥାନା ଅନ୍ତର୍ଗତ ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ଟାଟା ମୁଖ୍ୟ ଫାଟକ ନିକଟ​ରେ। ଏକ କ୍ରୋମାଇଟ୍‌ ବୋଝେଇ ଟ୍ରକ୍‌ (ଓଆର୍-୦୯ଇ-୮୮୭୪) ତାଙ୍କୁ ଚାପି ଦେଇଥିଲା। ପୁଲିସ ପହଞ୍ଚି ଟାଟାଷ୍ଟିଲ୍ ଆମ୍ବୁଲାନ୍ସରେ ତାଙ୍କୁ ଡାକ୍ତରଖାନା ପଠାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତବ୍ୟକ୍ତି ମୋହନ ସୋରେନ(୪୬)। ସେ ଜଣେ ଜଣାଶୁଣା ରଙ୍ଗମିସ୍ତ୍ରି ଥିଲେ। ପୁଲିସ ଉକ୍ତ ଟ୍ରକ୍‌ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି। ମୃତଦେହକୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଶବାଗାରରେ ସଂରକ୍ଷିତ ରଖାଯାଇଛି। ଏ ସଂକ୍ରାନ୍ତରେ ଥାନାରେ ଏକ କେସ୍ ୧୨୪/୨୨ ରୁଜୁ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ କାଳିଆପାଣି ଥାନା ସଂଲଗ୍ନ ପଡ଼ିଆରେ ଆୟୋଜିତ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ୍‌ ଉଦ୍‌ଯାପନ ଦିବସରେ ତୃତୀୟ ସ୍ଥାନ ପାଇଁ ହୋଇଥିବା ଲଢ଼େଇରେ ମୋହନଙ୍କ ଗାଁର ଡେଙ୍ଗାବାହାଳି ଦଳ ବିଜୟୀ ହୋଇ ୧୫ ହଜାର ଟଙ୍କାର ଅର୍ଥ ପୁରସ୍କାର ଜିତିଥିଲା। ପଡ଼ିଆ ପାଖ ଚିରିଗୁଣିଆ ବସ୍ତିରେ ଶ୍ବଶୁର ଘରେ ଚର୍ଚ୍ଚା ହୋଇ ବାଇକ୍‌ ଯୋଗେ ୮ କିଲୋମିଟର ଦୂର ନିଜ ଗାଁ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅଧୀନ ଡେଙ୍ଗାବାହାଳି ଫେରୁଥିଲେ। ଦୁର୍ଘଟଣା ଖବର ପରେ ଉଭୟ ପରିବାରରେ ବିଷାଦ ଛାଇ ଯାଇଥିଲା। ଦଳର ଖେଳାଳିମାନେ ଶୋକବ୍ୟକ୍ତ କରି ମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସମ୍ବନ୍ଧିତ ଖବର