ଯାତ୍ରୀବାହୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ; ଜଣେ ମୃତ, ୬ ଗୁରୁତର

ତେଲକୋଇ/ଜଗମୋହନପୁର: କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ ତଳଗୁଣ୍ଡଳାଠାରେ ବୁଧବାର ଏକ ଯାତ୍ରୀବାହୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ସବାରୀ ଗାଡ଼ି(ଓଆର ୦୯ଏଲ ୬୨୩୩)ଟି ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ଠାରୁ ବାଂଶପାଳ ଯାଉଥିଲା। ବାଂଶପାଳ ସାପ୍ତାହିକ ହାଟ ଥିବାରୁ ସବାରୀ ଗାଡ଼ିଟି ତଳ ଉପର କରି ୩୦ ରୁ ଊର୍ଦ୍ଧ୍ବ ଯାତ୍ରୀ ନେଇ ଯାଉଥିଲା।

ଘାଟି ରାସ୍ତା ଚଢୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିଟି ଘାଟି ଚଢି ନ ପାରି ତଳକୁ ଖସି ଆସିଥିଲା। ଫଳରେ ଘାଟି ତଳକୁ ଓଲଟି ପଡ଼ିଥିଲା। ଏଥିରେ କାଞ୍ଜିପାଣି ଥାନା ଅନ୍ତର୍ଗତ ଟଣ ରୁଗୁଡି ସାହିର ବାରା ପରିହାଳ(୪୮)ଙ୍କ ଚାପି ହୋଇ ମୃତ୍ୟୁ ଘଟିଛି। ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଛନ୍ତି।

ସମସ୍ତ ଆହତ କେନ୍ଦୁଝର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ କାଞ୍ଜିପାଣି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଛି। ପୁଲିସ ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ଜବତ କରିଛି। ଗାଡ଼ି ଚାଳକ ଫେରାର ହୋଇଯାଇଛି। ଏନେଇ କାଞ୍ଜିପାଣି ଥାନାରେ ନଂ. ୩୪/୨୨ ରୁଜୁ କରାଯାଇ ତଦନ୍ତ କରାଯାଉଥିବା ତଦନ୍ତକାରୀ ଅଧିକାରୀ ଏଏସଆଇ ନରସିଂହ ତନ୍ତୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର