ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର

ଶଙ୍କରପୁର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍‌ ନେଲୁଙ୍ଗ ପଞ୍ଚାୟତ ଝାଡ଼ବେଲଦା ଗ୍ରାମରେ ବୁଧବାର ଅପରାହ୍‌ଣରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ବୁଧବାର ଅପରାହ୍‌ଣରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହୋଇଥିଲା। ଝାଡ଼ବେଲଦା ଗ୍ରାମର ଅଞ୍ଜନ ସିଂଙ୍କ ପତ୍ନୀ ଲତାମଞ୍ଜରୀ ସିଂ (୩୦) ଓ ସେହିଗ୍ରାମର ଇନ୍ଦ୍ରମଣି ସିଂଙ୍କ ଝିଅ ସଂଯୁକ୍ତା ସିଂ (୩୭) ବିଲରେ ତଳି ରୋଇବା ସମୟରେ ବଜ୍ରାଘାତରେ ଉଭୟ ଗୁରୁତର ହୋଇଥିଲେ। ସେମାନଙ୍କୁ ଗ୍ରାମବାସୀ ଉଦ୍ଧାର କରି ଆମ୍ବୁଲାନ୍ସରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଡାକ୍ତର ଲତାମଞ୍ଜରୀଙ୍କୁ ମୃତ ଘୋଷଣା କରିଥିଲେ। ସଂଯୁକ୍ତା ଚିକିତ୍ସାଧୀନ ଅଛନ୍ତି।

ବଜ୍ରାଘାତରେ ୬ ଛେଳି ମୃତ
ବାଂଶପାଳ : ବାଂଶପାଳ ବ୍ଲକ୍‌ ଉପର ରାଇଗୋଡ଼ା ଗ୍ରାମରେ ବୁଧବାର ଅପରାହ୍‌ଣରେ ବଜ୍ରାଘାତରେ ୬ଟି ଛେଳି ପ୍ରାଣ ହରାଇଛନ୍ତି। ଗ୍ରାମର କଳ୍ପନା ନାଏକ ଛେଳି ଚରାଇବା ପାଇଁ ଗାଁ ପାଖ ଜଙ୍ଗଲକୁ ଯାଇଥିବାବେଳେ ବର୍ଷା ହୋଇଥିଲା। ଏହି ସମୟରେ ସେ ଏକ ଗଛମୂଳରେ ଆଶ୍ରୟ ନେଇଥିଲେ। ବଜ୍ରାଘାତରେ ୬ଟି ଛେଳି ପ୍ରାଣ ହରାଇଥିବାବେଳେ କଳ୍ପନା ଆହତ ହୋଇଥିଲେ। ଖବର ପାଇ ପରିବାର ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସରେ ବାଂଶପାଳ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି। ବଜ୍ରାଘାତରେ ସୁଦର୍ଶନ ନାଏକଙ୍କ ୪ଟି, ବୁଧୁ ଦେହୁରୀ ଓ ଶ୍ରୀଗା ଦେହୁରୀଙ୍କ ଗୋଟିଏ ଲେଖାଏଁ ଛେଳି ପ୍ରାଣ ହରାଇଛନ୍ତି।

ସମ୍ବନ୍ଧିତ ଖବର