ଗ୍ୟାସ୍‌ ପାଇପ୍‌ ଫାଟି ଶିଶୁକନ୍ୟା ମୃତ, ୬ ଗୁରୁତର

ବେଗୁନିଆ/ସିକୋ : ଶନିବାର ବିଳମ୍ବିତ ରାତିରେ ବେଗୁନିଆ ବ୍ଲକ୍‌ ଗଡମାଣତୀର ଗ୍ରାମର ଉପରଗଡ଼ ସାହିରେ ଗ୍ୟାସ୍‌ ପାଇପ ଫାଟି ୩ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ଜଣ ଗୁରୁତର ଆହତ ହୋଇ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଗ୍ରାମର ଅଜୟ ରାଉତରାୟ ଘରେ ଗତକାଲି ବିଳମ୍ବିତ ରାତିରେ ଗ୍ୟାସରେ ରୋଷେଇ ଚାଲିଥିବା ବେଳେ ହଠାତ୍ ଗ୍ୟାସ ପାଇପ୍‌ ଫାଟି ଯିବାରୁ ଘଟଣାସ୍ଥଳରେ ଅଜୟ ରାଉତରାୟ(୫୦) ,ତାଙ୍କ ସ୍ତ୍ରୀ ସଞ୍ଜୁକ୍ତା ରାଉତରାୟ(୪୫) ,ବଡଭାଇ ଫକିର ରାଉତରାୟଙ୍କ କଲେଜ ପଢୁଆ ଝିଅ ପୂଜାରାଣୀ ରାଉତରାୟ(୧୭), ହାଇସ୍କୁଲରେ ପାଠ ପଢୁଥିବା ପୁଅ ରାଜା ରାଉତରାୟ(୧୫),ବିବାହିତ ଝିଅ ଲୀଜା ରାଉତରାୟ(୨୫) ,ଜ୍ବାଇଁ ପପୁ ଟୋଟାଲ(୨୮) ଏବଂ ପପୁଙ୍କ ୩ବର୍ଷର ଶିଶୁ କନ୍ୟା ପ୍ରତୀଷା ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ପ୍ରଥମେ ବୋତଳମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ୧୦୮ ଆାମ୍ବୁଲାନ୍ସରେ ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସ୍ବାସ୍ଥ୍ୟରେ ଅବନତି ହେବାରୁ ଭୁବନେଶ୍ବର ଏବଂ ପରେ କଟକ ବଡ଼ଡାକ୍ତରଖାନରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଚିକିତ୍ସିତ ଅବସ୍ଥାରେ ଶିଶୁକନ୍ୟା ପ୍ରତୀକ୍ଷାର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର