ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୃତକ ଗଞ୍ଜାମ ଜିଲ୍ଲାର

ଭୁବନେଶ୍ୱର: ଦ୍ବିତୀୟ କରୋନା ମୃତ୍ୟୁର ମାତ୍ର ୪ ଦିନ ପରେ ରାଜ୍ୟରେ ହୋଇଛି ୩ୟ କରୋନା ଜନିତ ମୃତ୍ୟୁ। ମୃତକ ଗଞ୍ଜାମ ଜିଲ୍ଲାର ବୋଲି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଅନ୍ୟପକ୍ଷରେ ରାଜ୍ୟର ସର୍ବାଧିକ କରୋନା ସଂକ୍ରମିତ ଜିଲ୍ଲା ଗଞ୍ଜାମରେ ଆଜି ପୁଣି ୨୯ ଆକ୍ରାନ୍ତ ଯୋଡ଼ି ହୋଇଛନ୍ତି। ଫଳରେ ଗଞ୍ଜାମରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଟପି ଯାଇଛି। ସଦ୍ୟତମ ସୂଚନା ଅନୁସାରେ ଏହି ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା।

ମେ ମାସ ୫ ତାରିଖରେ ରାଜ୍ୟରେ ଦ୍ଵିତୀୟ କରୋନା ମୃତ୍ୟୁ ହୋଇଥିଲା | ଏହି ୭୭ ବର୍ଷୀୟ ବ୍ୟକ୍ତି ଜଣକ ଭୁବନେଶ୍ୱର ମଧୁସୂଦନ ନଗର ଅଞ୍ଚଳର ହୋଇଥିବାବେଳେ ତାଙ୍କର ମଧୁମେହ ସହ କିଡ଼ନୀ ଜନିତ ସମସ୍ୟା ଥିଲା | କିମସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା | ପ୍ରଥମ ମୃତ୍ୟୁର  ଠିକ ମାସକ ପରେ ଓଡ଼ିଶାରେ ଦ୍ଵିତୀୟ କରୋନା  ମୃତ୍ୟୁ ହୋଇଥିଲା | ସୂଚନାଯୋଗ୍ୟ, ଏପ୍ରିଲ ୬ ତାରିଖରେ ଓଡ଼ିଶାରେ ପ୍ରଥମ କରୋନା ମୃତ୍ୟୁ ହୋଇଥିଲା |

ଭୁବନେଶ୍ବର ଏମ୍ସରେ ରାଜ୍ୟର ପ୍ରଥମ କରୋନା ମୃତ୍ୟୁ ହୋଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବର ଝାରପଡ଼ାର  ୭୨ ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିଲା | କ୍ରୋନିକ ହାଇପରଟେନସନ ଯୋଗୁଁ ଝାରପଡା ଅଂଚଳର ଏହି ଵ୍ୟକ୍ତି ଜଣକ ଏମ୍ସ ଭୁବନେଶ୍ୱରରେ ଭର୍ତ୍ତି ହୋଇଥିଲେ | ଏପ୍ରିଲ୍ ୪ ତାରିଖ ସେ ଏମ୍‌ସକୁ ଆସିଥିଲେ। ଜ୍ବର ଓ ନିଶ୍ବାସ ପ୍ରଶ୍ବାସରେ ଅସୁବିଧା ହେଉଥିବା କାରଣରୁ କୋଭିଡ୍‌-୧୯ ଲକ୍ଷଣ ସନ୍ଦେହରେ ତାଙ୍କୁ ତୁରନ୍ତ ଆଇସୋଲେସନ୍ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ସଙ୍ଗେସଙ୍ଗେ ତାଙ୍କୁ ଅକ୍ସିଜେନ ଓ ଅନ୍ୟାନ୍ୟ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ମାତ୍ର ତାଙ୍କ ଅବସ୍ଥା ଗୁରୁତର ହେବାରୁ ଏହାପରେ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ତେବେ ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ  ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ୬ତାରିଖରେ ମୃତ୍ୟୁ ହୋଇଯାଇଥିଲା। ଏହି ସମୟରେ ତାଙ୍କ କୋଭିଡ୍‌-୧୯ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇ ଦିଆଯାଇଥିଲା। ପରବର୍ତୀ ସମୟରେ ସଂପୃକ୍ତ ବ୍ୟକ୍ତିଜଣକ କରୋନା ପଜିଟିଭ୍ ଥିବା ଏମ୍‌ସ ରିପୋର୍ଟରେ ସ୍ପଷ୍ଟ ହୋଇଥିଲା।

ଏଣେ ଆଜି ରାଜ୍ୟରେ ପୁଣି ୫୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୨୦ଟି ଜିଲ୍ଲାରୁ ମୋଟ ୩୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ ୫୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୪୨ ଜଣ, ଭଦ୍ରକ ଜିଲ୍ଲାରୁ ୨୫ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୫ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୮ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏତଦ ବ୍ୟତୀତ ନୟାଗଡ଼, କୋରାପୁଟ, ଦେବଗଡ଼, ଢେଙ୍କାନାଳ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୮୧ ହୋଇଥିବା ବେଳେ ସୁସ୍ଥ ହୋଇ ଫେରିଛନ୍ତି ୬୮ ଜଣ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର