ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବ୍ଲକ୍ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପାଟଣାଗଡ଼ ବ୍ଲକ୍ ଅନ୍ତର୍ଗତ ଦେଉଳଗାଁ ପଞ୍ଚାୟତର ଘୁନଘୁଟିପାଲି ଗ୍ରାମରେ ପ୍ରବଳ ବର୍ଷା ଯୋଗୁଁ ଘର ଭାଙ୍ଗି ଜଣେ ନାବାଳିକାଙ୍କର ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଘୁନଘୁଟିପାଲି ଗ୍ରାମରେ ପ୍ରବଳ ବର୍ଷା ଯୋଗୁଁ ଶୋଭାବନ ବାରଲେଣ୍ଡିଆଙ୍କ ଘର ଭାଙ୍ଗିଯାଇଥିଲା। ଏହାଫଳରେ ତାଙ୍କ ଝିଅର ମୃତ୍ୟୁ ହୋଇଥିବା ବେଳେ ପରିବାରର ୪ ଜଣ ଗୁରୁତର ହୋଇ ବଲାଙ୍ଗୀରରେ ଚିକିତ୍ସିତ ହେଉଛନ୍ତି ।
ଘୁନଘୁଟିପାଲି ଗ୍ରାମରେ ଗତକାଲି ଠାରୁ ଲଗାଣ ତଥା ପ୍ରବଳ ବର୍ଷା ହୋଇଥିଲା। ପ୍ରବଳ ବର୍ଷା ହେବା ଦ୍ବାରା ଶୋଭାବନ ବାରଲେଣ୍ଡିଆଙ୍କ ଘର ଶନିବାର ବିଳମ୍ବିତ ରାତିରେ ପରିବାରର ସମସ୍ତ ସଦସ୍ୟ ଶୋଇଥିବା ସମୟରେ ଭୁଷୁଡ଼ି ଯାଇଥିଲା। ଏଥିରେ ପରିବାରର ସଭିଏଁ ଗୁରୁତର ହୋଇ ପଡିଥିଲେ। ଏହା ଜାଣି ଲୋକେ ସେମାନଙ୍କୁ ଉଦ୍ଧାର କରି ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନା ଆଣିଥିଲେ। ରାସ୍ତାରେ ଶୋଭାବନଙ୍କ ଝିଅ ଦୀପାଞ୍ଜଳି(୧୬)ଙ୍କ ମୃତ୍ୟୁ ହୋଇଥିଲା।

Advertisment

ପରିବାରର ଅନ୍ୟ ସଦସ୍ୟ ଶୋଭାବନ, ସ୍ତ୍ରୀ ସତ୍ୟଭାମା, ପୁଅ ଦୀପକ ଓ ଦିର୍ଯୁ ପ୍ରଥମେ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡ଼ିଛି।