ବ୍ରଜରାଜନଗର: ଜେଲରେ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷଙ୍କର ପତ୍ନୀ ପ୍ରିୟା ଘୋଷଙ୍କର ଆଜି ସକାଳେ ମୃତ୍ୟୁ ଘଟିଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଗତ ୨୦ ତାରିଖ ସକାଳ ୬ଟାରେ ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ବ୍ରଜରାଜ ନଗରର ଷ୍ଟେସନପଡାର ପୂର୍ବତନ କାଉନସିଲର୍ ଗୀତରାଣୀ ଘୋଷଙ୍କ ଘରେ ନିଆଁ ଲାଗି ଘରଭିତର ଆସବାବପତ୍ର ଜଳିଯିବା ସହ ଏହି ରୁମ ସହିତ ସଂଲଗ୍ନ ରୋଷେଇ ଘରର ଜିନିଷ ମଧ୍ୟ ଜଳିଯାଇଥିଲା। ନିଆଁରେ ୨ଜଣ ମହିଳା ପୋଡ଼ି ହୋଇ ଗୁରୁତର ଆହତ ହୋଇଥିଲେ। ଆହତମାନେ ହେଲେ ଗୀତାରାଣୀ ଘୋଷଙ୍କ ବୋହୂ ତଥା ବିଭିନ୍ନ ଅପରାଧିକ ମାମଲାରେ ଅଭିଯୁକ୍ତ ହୋଇ ଜେଲରେ ଥିବା ସୋନୁ ଘୋଷଙ୍କର ପତ୍ନୀ ପ୍ରିୟା ଘୋଷ ଓ ଭଡ଼ାରେ ରହୁଥିବା ମମତା ପାତ୍ର।

Advertisment

ଆହତଙ୍କୁ ଚିକିତ୍ସା ପାଇଁ ବ୍ରଜରାଜନଗରସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟ ମଣ୍ଡାଳିଆକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ଆଇ ଜି ଏଚକୁ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଘଟଣାରେ ପ୍ରିୟା ଘୋଷଙ୍କର ୮୫ ପ୍ରତିଶତ ଓ ମମତାଙ୍କର ୪୦ ପ୍ରତିଶତ ଶରୀର ଜଳି ଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଗତ ୨୩ତାରିଖରେ ପ୍ରିୟା ଘୋଷଙ୍କୁ ରାଉରକେଲାରୁ ଝାରସୁଗୁଡ଼ାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ପ୍ରିୟା ଘୋଷଙ୍କର ମୂତ୍ୟୁ ଘଟିଥିବା ବ୍ରଜରାଜନଗର ଆଇ ଆଇ ସି ନଳିତା ମୋଦି ସୂଚନା ଦେଇଛନ୍ତି। ଦୁର୍ଘଟଣାରେ ଆହତ ହୋଇଥିବା ମମତା ପାତ୍ର ମଧ୍ୟ ରାଉରକେଲାରୁ ଫେରି ଝାରସୁଗୁଡ଼ାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।