କାମାକ୍ଷାନଗରରେ ସଶସ୍ତ୍ର ଗୋଷ୍ଠୀସଂଘର୍ଷ; ଜଣେ ମୃତ, ୨ ଗୁରୁତର

କାମାକ୍ଷାନଗର : ଗତ ରାତିରୁ ସଶସ୍ତ୍ର ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ର କରି କାମାକ୍ଷାନଗର ଟାଉନ୍‌ ଅଶାନ୍ତ ହୋଇଉଠିଛି। ଗୁଳିମାଡ଼ରେ ଗୁରୁତର କଲୋନି ସାହିର ତୁଫାନ ପାତ୍ର (୨୭)ଙ୍କ ଗୁରୁବାର ଭୋର୍‌ରେ କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଦୁଇ ଗୁରୁତର ମହିମାନଗର ସାହିର ଆକାଶ ନାୟକ (୨୫ ) ଓ ରାଜକିଶୋର ନାୟକ (୩୫)ଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ଉଭୟେ କଟକ ବଡ଼ ଡାକ୍ତରଖାନାରେ ଜୀବନ ସହ ସଂଘର୍ଷ କରୁଛନ୍ତି। ଏହି ଘଟଣାକୁ ନେଇ ଦୁଇ ସାହିରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ବ୍ୟାପକ ପୁଲିସ ମୁତୟନ କରି ପରିସ୍ଥିତି ଉପରେ ପ୍ରଶାସନ ପକ୍ଷରୁ ସତର୍କ ନଜର ରଖାଯାଇଛି ।

ଗତକାଲି ସନ୍ଧ୍ୟାରେ ଗୋଡିସାହିର କେତେକ ଯୁବକ ବାଳିକା ବିଦ୍ୟାଳୟ ନିକଟରେ ବସିଥିବା ବେଳେ ହଠାତ କଲୋନି ସାହିର କିଛି ଯୁବକ ଆସି ଛକରେ ବୋମା ପକାଇ ଫେରାର ହୋଇଯାଇଥିଲେ। ଗୋଡିସାହିର ଯୁବକମାନେ କାମାକ୍ଷାନଗର ଥାନାରେ ଘଟଣା ସଂପର୍କରେ ଜଣାଇବାରୁ ପୁଲିସ ଘଟଣାସ୍ଥଳରେ ପାଟ୍ରୋଲିଂ କରି ଫେରିଯାଇଥିଲା। ତେବେ କିଛି ସମୟ ପରେ ଦୁଇ ଗୋଷ୍ଠୀ ଖଣ୍ଡା ଭୁଜାଲି, ବୋମା,ବନ୍ଧୁକ ଧରି ମୁହାଁମୁହିଁ ହୋଇଥିଲେ । ଗୋଡ଼ିସାହିର କିଛି ଯୁବକ ଗୁଳି ଚଳାଇବାରୁ ଏକ ଗୁଳି କଲୋନିସାହିର ତୁଫାନ ପାତ୍ରଙ୍କ ପେଟରେ ବାଜିଥିଲା। ତୁଫାନଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ମହିମାନଗର ସାହିର ରାଜକିଶୋର ନାୟକ ଓ ତାଙ୍କ ସମ୍ପର୍କୀୟ ଭାଇ ଆକାଶ ନାୟକ ଭଉଣୀ ଘର ଆଳତୁମାରୁ ଘରକୁ ଏକ କାର୍‌ (ଡବଲ୍ୟୁ ବି ୨୭ ଆର ୭୭୭୯)ରେ ଫେରୁଥିବା ବେଳେ ବାଳିକା ବିଦ୍ୟାଳୟ ନିକଟରେ ଗୋଡିସାହିର କିଛି ଯୁବକ ଉଭୟଙ୍କୁ ଅଟକାଇ ଅତର୍କିତ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ। ଆକ୍ରମଣରେ ଆକାଶ ଓ ରାଜକିଶୋର ଗୁରୁତର ଆହତ ହୋଇଥିଲେ। ରାଜକିଶୋର, ଆକାଶଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନା ପଠାଯାଇଥିଲା। ସେହିପରି ତୁଫାନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମଧ୍ୟ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଢେଙ୍କାନାଳ ଏସ୍‌ପି କେ. ଶିବା ସୁବ୍ରମଣିଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚା ଚଳାଇଛି। ଅନ୍ୟ କେତେକ ଫେରାର ହୋଇ ଯାଇଥିବାରୁ ସେମାନଙ୍କୁ ଧରିବା ଲାଗି ତନାଘନା ଚାଲିଛି।

ସମ୍ବନ୍ଧିତ ଖବର