ଭୁବନେଶ୍ୱର: ରାସ୍ତାରେ ଯାଉଥିବା ବେଳେ ଅବହେଳା ଯୋଗୁଁ ଲୋକେ ଜୀବନ ହରାଉଥିବା ଜାଣିଶୁଣି ମଧ୍ୟ ଆଜିର ଯୁବପିଢ଼ି ମୋବାଇଲକୁ ସବୁବେଳେ ବ୍ୟବହାର କରୁଛନ୍ତି। ଫଳରେ ଏହାର ଫଳ ଭୋଗୁଛନ୍ତି। ଖୋର୍ଦ୍ଧାରୋଡ ଅନ୍ତର୍ଗତ ଆରଗଡ଼ା ଲେଭେଲ କ୍ରସିଂ ନିକଟରେ ଆଜି ଅସାବଧାନତାର ସହିତ ବାଇକ୍ରେ ଯାଉଥିବା ବେଳେ କଟକ-ପୁରୀ ପାସେଞ୍ଜର ଟ୍ରେନ ଶକ୍ତ ଧକ୍କା ଦେବାରୁ ଜଣେ ଯୁବକ ଜୀବନ ହରାଇଛନ୍ତି। ମୃତକଙ୍କ ନାମ ପ୍ରକାଶ ଜେନା ବୋଲି ଜଣାପଡ଼ିଛି। ପ୍ରକାଶଙ୍କ ଘର ନିପୁର ଗ୍ରାମ।
ସୂଚନା ଅନୁସାରେ ପ୍ରକାଶ ଆଜି ଅପରାହ୍ନରେ ଅନ୍ୟ ୨ ଜଣ ସାଙ୍ଗଙ୍କ ସହିତ ରେଲେଓ୍ଵ କ୍ରସିଂ ଅତିକ୍ରମ କରୁଥିଲେ। ପ୍ରକାଶ ମୋଟର ସାଇକେଲ (ଓଆର ୦୨ ଏଓ୍ଵାଇ-୩୫୧୩)କୁ ଚଳାଉଥିଲେ। ପଛରେ ୨ ଜଣ ସାଙ୍ଗ ବସିଥିଲେ। ସେମାନେ ମୋବାଇଲର ଇଅର ଫୋନ ଲଗାଇଥିବାରୁ ଟ୍ରେନର ଶବ୍ଦ ଶୁଣି ନଥିଲେ। ଟ୍ରେନ ଲାଇନ୍ ଅତିକ୍ରମ କରବା ପୂର୍ବରୁ ଉଭୟ ପାର୍ଶ୍ୱକୁ ମଧ୍ୟ ଦେଖି ନ ଥିଲେ। ଫଳରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ବୋଲି ରେଳବାଇ ପୁଲିସ କହିଛି।
ଦୁର୍ଘଟଣା ପରେ ରେଳବାଇ ପୁଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଥିଲା। ଗୁରୁତର ଆହତ ୩ ଜଣ ଯୁବକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। କିନ୍ତୁ ଚିକିସାଧୀନ ଅବସ୍ଥାରେ ପ୍ରକାଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଅନ୍ୟ ୨ ଜଣଙ୍କ ଚିକିତ୍ସା ଜାରି ରହିଥିବା ଜଣାଯାଇଛି। ପୁଲିସ କହିଛି ଅନ୍ୟମାନଙ୍କ ପରିଚୟ ମିଳିପାରି ନାହିଁ।