ବଜ୍ରାଘାତରେ ଜଣେ ମୃତ, ୨ ଗୁରୁତର

ସୋରଡ଼ା : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ସଂପଦା ଗାଁ ନିକଟରେ କାଳବୈଶାଖୀରୁ ରକ୍ଷା ପାଇବା ପାଇଁ ଗଛତଳେ ଆଶ୍ରୟ ନେଇଥିବା ବେଳେ ବଜ୍ରାଘାତ ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି। ଆଉ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ସିଙ୍ଗିପୁରୁ ଗ୍ରାମର ଶିବରଞ୍ଜନ ସେଠୀ ଓ ଗୁରୁତର ଦ୍ବୟ ହେଲେ ଗୋଚ୍ଛା ଗ୍ରାମର ସଞ୍ଜୟ ବେହେରା ଓ କୋଟିବାଡଡ଼ି ଗ୍ରାମର କ୍ଷେତ୍ର ନାୟକ। ଗୁରୁତରଙ୍କୁ ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରା ଯାଇଥିବା ଜଣାପଡ଼ିଛି।
ସୂଚନା ପ୍ରକାରେ, ଶିବରଞ୍ଜନ ଓ ତାଙ୍କ ସଡ଼ୁ ସଞ୍ଜୟ ଏକ ବାଇକ୍‌ରେ କାନ୍ଧୁଣୀ ଦେବୀଙ୍କ ଯାତ୍ରା ଦେଖିବା ପାଇଁ ଗୋଚ୍ଛା ଯାଉଥିଲେ। ସେହିପରି କ୍ଷେତ୍ର ମାଛ ବେପାର କରି ବାଇକ୍‌ରେ ଦାରିଙ୍ଗବାଡ଼ିରୁ ଫେରୁଥିଲେ। ଅପରାହ୍‌ଣ ୩ଟା ବେଳେ ହଠାତ୍‌ ବର୍ଷା ପବନ ଆସିବାରୁ ରାସ୍ତାରେ ଯାଉଥିବା ଉଭୟ ବାଇକ୍‌ ଆରୋହୀ ଗଛମୂଳେ ଅଟକି ଯାଇଥିଲେ। ଏ ସମୟରେ ବଜ୍ରାଘାତ ଘଟିବାରୁ ଶିବରଞ୍ଜନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସଞ୍ଜୟ ଓ କ୍ଷେତ୍ର ଗରୁତର ହୋଇ ପଡ଼ିଥିବା ବେଳେ ରାସ୍ତାରେ ଯାଉଥିବା ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥି‌ଲେ।

ସମ୍ବନ୍ଧିତ ଖବର