ରାୟଗଡ଼ା: ରାୟଗଡ଼ା ବ୍ଲକ୍ କୁମ୍ଭିକୋଟା କୋଭିଡ଼୍ ଆଶ୍ରୟସ୍ଥଳୀରେ ଅଭାବନୀୟ ଘଟଣା ଘଟିଛି। ଟଙ୍କା ଦେଣନେଣକୁ କେନ୍ଦ୍ର କରି ଦୁଇ ଅନ୍ତେବାସୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଉଗ୍ରରୂପ ନେଇଛି। ଏସିଡ଼୍ ମାଡ଼ରେ ଦିଲ୍ଲୀପ ଶାହା ନାମକ ଜଣେ ଅନ୍ତେବାସୀ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ଦିଲ୍ଲୀପକୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏସିଡ଼୍ ମାଡ଼ କରିଥିବା ବିଘ୍ନେଶ ଶାହାକୁ ଟାଉନ୍ ଥାନା ପୁଲିସ୍ ଅଟକ ରଖି ପଚରା ଉଚରା କରୁଛି।
ବିହାର ରାଜ୍ୟ ମାର୍କେଟିଆ ଜିଲ୍ଲା ପୂର୍ବଚମ୍ପରଣ ଗ୍ରାମର ବିଘ୍ନେଶ ଓ ଦିଲ୍ଲୀପ ବୃତ୍ତିରେ ବୁଲା ବେପାରୀ। ଦୁହେଁ କୋରାପୁଟ ଜିଲ୍ଲାର ସୁନାବେଢ଼ା ଅଞ୍ଚଳରେ ଘରକୁ ଘର ବୁଲି ରୋଲଡ୍ ଗୋଲଡ୍ ସୁନା ଚେନ୍ ଓ ଅନ୍ୟାନ୍ୟ ସାମଗ୍ରୀ ସଫା କରୁଥିଲେ। ଲକଡାଉନ୍ ଯୋଗୁ ବ୍ୟବସାୟ ବନ୍ଦ ଥିବାରୁ ଉଭୟ ଘରକୁ ଫେରିବା ପାଇଁ ରାୟଗଡ଼ା ଆସୁଥିବା ବେଳେ କୁମ୍ଭିକୋଟା ନିକଟରେ ପ୍ରଶାସନ ଅଟକ ରଖି ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଆଶ୍ରୟସ୍ଥଳୀରେ ରଖିଥିଲା। ପାଖରେ ଥିବା ଟଙ୍କା, ପଇସା ସରି ଯାଇଥିବାରୁ ବିଘ୍ନେଶର ସ୍ତ୍ରୀ ଦିଲ୍ଲୀପଙ୍କ ଆକାଉଣ୍ଟକୁ ୫ ଶହ ଟଙ୍କା ପଠାଇଥିଲେ। ଏଟିଏମରୁ ଟଙ୍କା ଉଠାଇ ଦେବାରେ ଦିଲ୍ଲୀପ ବିଳମ୍ବ କରୁଥିବାରୁ ଆଜି ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା।
ବିଘ୍ନେଶ ଟଙ୍କା ଦେବା ନେଇ ଦିଲ୍ଲୀପକୁ କଟୁ କଥା କହିବା ସହ ଉତକ୍ଷିପ୍ତ ହୋଇ ସୁନା ସଫେଇ ପାଇଁ ପାଖରେ ଥିବା ଏସିଡ଼କୁ ଦିଲ୍ଲୀପ ଉପରେ ଢ଼ାଳି ଦେଇଥିଲା। ଫଳରେ ଦିଲ୍ଲୀପର ମୁହଁ ଓ ଶରୀରର ବିଭିନ୍ନ ସ୍ଥାନ ପୋଡ଼ି ଯାଇଛି। ଗୁରୁତର ଅବସ୍ଥାରେ ଆଶ୍ରୟସ୍ଥଳୀ କର୍ମଚାରୀ, କୁମ୍ଭିକୋଟା ପୁଲିସକୁ ଦିଲ୍ଲୀପକୁ ଉଦ୍ଧାର କରି ରାୟଗଡ଼ାକୁ ମେଡ଼ିକାଲକୁ ଆଣିଥିଲେ। ଏହି ଘଟଣାରେ ପୁଲିସ୍ ମାମଲା ରୁଜୁ କରି ବିଘ୍ନେଶକୁ ଥାନାରେ ଅଟକ ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/RGD_Acid-Attack.jpg)