ଚିଲଗୁଡ଼ା : ନିଜ ସଂପର୍କୀୟଙ୍କ ଶବଦାହ କରିବାକୁ ଯାଇଥିବା ଜଣେ ବ୍ୟକ୍ତି ନିଜେ ଶବ ହୋଇ ଘରକୁ ଫେରିଛନ୍ତି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ବଣ୍ଡାକୁଟୁରା ନିକଟ ମହିଭର ଗାଁରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ପ୍ରକାଶ ଯେ, ମହିଭର ଗାଁର ଦୀନବନ୍ଧୁ ସୁନାନୀ (୫୨ବର୍ଷ) ଶୁକ୍ରବାର କଳହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଭାଟିଗାଁକୁ ତାଙ୍କ ଭଣଜାଙ୍କ ସ୍ତ୍ରୀଙ୍କ ଶବଦାହ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ। ଶବଦାହ କାର୍ଯ୍ୟ ସରିବା ପରେ ସେ ସାଇକଲ ଯୋଗେ ବଲାଗାଁ- ଚିକିଲି ରାସ୍ତା ଦେଇ ନିଜ ଗାଁକୁ ଫେରୁଥିଲେ। କୌଣସି କାରଣରୁ ଚିକିଲି ଗାଁ ନିକଟରେ ଭାରସାମ୍ୟ ହରାଇ ସାଇକଲରୁ ଖସି ପଡ଼ିଥିଲେ। କିଛି ସମୟ ପରେ ପାଖ ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ମୃତ୍ୟୁ ଘଟିଥିବା ଜାଣି ପାରିଥିଲେ। ଖବର ପାଇ ଜୁନାଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା। ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/dead_body_of_youth_found_on_national_highway_in_lakhimpur_kheri_1584257493-1-750x430-1.jpg)