ଆଳି: ପୁରୀ ସ୍ବର୍ଗଦ୍ବାରରେ ଶବଦାହ କାମସାରି ଫେରୁଥିବା ବେଳେ କଟକ-ଚାନ୍ଦବାଲି ରାସ୍ତାର ଆଳି ଆକ୍ସିସ ବ୍ୟାଙ୍କ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ଜଣ ଗୁରୁତର ଆହତ ହୋଇଛନ୍ତି | ଗୁରୁତର ଆହତମାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା | ତେବେ କଟକ ବଡମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବାବେଳେ ରାସ୍ତାରେ ଜୟନଗର ସରପଞ୍ଚ ପ୍ରଦୀପ୍ତ ଦାସ(୫୦)ଙ୍କ ମୂତ୍ୟୁ ଘଟିଛି। ଘଟଣାରୁ ଜଣାପଡିଛି ଯେ,ରାଜକନିକା ଥାନା କୋଇଲିପୁର ଗ୍ରାମର ନିରାକାର ବେହେରାଙ୍କ ମୃତ ପତ୍ନୀ ଜୟନ୍ତୀ ବେହେରାଙ୍କ ମର ଶରୀରକୁ ପରିବାର ଲୋକ ପୁରୀ ସ୍ୱର୍ଗଦ୍ୱାରରେ ସଂସ୍କାର ପାଇଁ ନେଇଥିଲେ।

Advertisment

ଶବ ସଂସ୍କାର ସାରି ଏକ ଅଲଟୋ କାରରେ ଫେରୁଥିବାବେଳେ କଟକ -ଚାନ୍ଦବାଲି ରାସ୍ତାର ଆଳି ଭୁଇଁପୁର ଛକ ଆକ୍ସିସ ବ୍ୟାଙ୍କ ଆଗରେ ରହିଥିବା ଏକ ଆଇଚର ଗାଡିକୁ କାରଟି ଜୋରଦାର ଧକ୍କା ଦେଇଥିଲା। ଦୁର୍ଘଟଣାରେ ଅଲଟୋ କାର ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ କାର୍ ଭିତରେ ଥିବା ଜୟନଗର ସରପଞ୍ଚ ପ୍ରଦୀପ ଦାସ,କୋଇଲିପୁରର ନିରାକାର ବେହେରା, ଜ୍ୟୋତି ପ୍ରକାଶ ବେହେରା, କାର୍ତ୍ତିକ ସାହୁ ଓ ଡ୍ରାଇଭର ରାଜକିଶୋର ଲେଙ୍କା ଗୁରୁତର ଆହତ ହୋଇଥିଲେ। ନିଆଳ ଗ୍ରାମର ଜନୈକ ଯୁବକଙ୍କ ଚିରଞ୍ଜିବୀ ଦାସଙ୍କ ସମେତ ସ୍ଥାନୀୟ ଲୋକମାନେ ରକ୍ତଜୁଡୁବୁଡୁ ୫ ଆହତଙ୍କୁ ବହୁ କଷ୍ଟରେ ଉଦ୍ଧାର କରି ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।କଟକ ଯିବା ବାଟରେ ସରପଞ୍ଚ ପ୍ରଦୀପ୍ତ ଦାସଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।ଆଜି ସକାଳୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଖବର ଆଳି, ରାଜକନିକା ଅଞ୍ଚଳରେ ଦୁଃଖର ଲହରୀ ଖେଳାଇ ଦେଇଛି।