କୂଅ ସଫାବେଳେ ଜଣେ ମୃତ, ଜଣେ ଗୁରୁତର

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କାଳିଆହତା ପଞ୍ଚାୟତ ଅନ୍ତର୍ଗତ ବାଦବିଲ ଗ୍ରାମରେ ଗୁରୁବାର ଦିନ ଏକ ଅଭାବନୀୟ ଘଟଣା ଘଟିଯାଇଛି। କୂଅ ସଫା କରିବା ସମୟରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ କାଳିଆହତା ଗ୍ରାମର ଗହ୍ମା ମହାନ୍ତଙ୍କ ପୁଅ ନିରଞ୍ଜନ ମହାନ୍ତ(୩୦) ଓ ଆହତ ଜଣକ ହେଲେ ମୃତକଙ୍କ ଭିଣୋଇ ବାଦବିଲ ଗ୍ରାମର ଲୁଲୁ ମହାନ୍ତ(୩୬)।

ଗୁରୁବାର ଅପରାହ୍ଣ ୪ଟା ବେଳେ ଶଳା ଭିଣୋଇ ଓ ଅନ୍ୟ ଜଣେ ବ୍ୟକ୍ତି ମିଶି ଏକ କିରାସିନି ପମ୍ପ ଲଗାଇ କୂଅରୁ ମଇଳା ପାଣି ବାହାର କରିବା ସହିତ ପଙ୍କ ଉଦ୍ଧାର କାର୍ଯ୍ୟ କରିଥିଲେ। ୩୦ ଫୁଟ ଗଭୀର କୂଅ ଭିତରେ ଭିଣୋଇ ଲୁଲୁ ଅଣନିଃଶ୍ବାସୀ ହୋଇ ପଡ଼ିବାରୁ ତାକୁ ଉଦ୍ଧାର ପାଇଁ ଶଳା ନିରଞ୍ଜନ ଦଉଡି ନେଇ କୂଅକୁ ପଶିଥିଲେ। ଗୁରୁତର ଅବସ୍ଥାରେ ଲୁଲୁକୁ ଉଦ୍ଧାର କରାଯାଇଥିବା ବେଳେ ଶଳା ନିରଞ୍ଜନ ଆଉ ବାହାରକୁ ଆସି ପାରି ନଥିଲେ। ଅଣନିଃଶ୍ବାସୀ ହୋଇ କୂଅ ଭିତରେ ମୃତ୍ୟୁ ବରଣ କରିଥିଲେ। ଖବର ପାଇ ତେଲକୋଇ ଓ କଙ୍କଡ଼ାହାଡ଼ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିରଞ୍ଜନଙ୍କ ମୃତଦେହ ଉଦ୍ଧାର କରିଥିଲେ। ଗୁରୁତର ଲୁଲୁଙ୍କୁ ପ୍ରଥମେ କାଳିଆହତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଆମ୍ବୁଲାନ୍ସ ଯୋଗେ ତେଲକୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧିତ ଖବର