ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ଜମାଦାରପଡା ଗ୍ରାମର ଜଣେ ଯୁବକର ସର୍ପ ଦଂଶନରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ତେବେ ଡାକ୍ତର ମୃତ୍ୟୁ ଘୋଷଣା କରିବା ପରେ ବି ପରିବାରବର୍ଗ ବିଶ୍ବାସକୁ କରିପାରିଲେ ନାହିଁ। ପରିବାରର ଭେଣ୍ଡା ପୁଅର ମୃତ୍ୟୁରେ ମିୟମ୍ରାଣ ହୋଇ ଡାକ୍ତରଙ୍କ ମୃତ୍ୟୁ ଘୋଷଣା ପରେ ବି ପୁଅକୁ ନିଜ ଗାଁକୁ ନେଇ ଗ୍ରାମରେ ଝଡାଫୁଙ୍କା କରିଥିବା ଦେଖିବାକୁ ମିଳିଥିଲା। ମିଳିଥିବା ସୂଚନା ଅନୁଯାୟୀ ଜମାଦାରପଡା ଗାଁର ଧନପତି ହାତିଙ୍କ ପୁଅ ଦେବିସିଂ ହାତିକୁ (୨୬) ଆଜି ସକାଳେ ଏକ ବିଷାକ୍ତ ନାଗ ସାପ ତାଙ୍କ ବାମ ହାତକୁ ଦଂଶନ କରିଥିଲା।

Advertisment

ପରିବାର ଲୋକେ ଗୁରୁତର ଅବସ୍ଥାରେ ପୂର୍ବାହ୍ନ ୧ଟା ବେଳେ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରାଇଥିଲେ । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସଂଗ୍ରାମ କେଶରୀ ସାହୁ ଓ ଡାକ୍ତର ପ୍ରଶାନ୍ତ କୁମାର ଦାସ ଚିକିତ୍ସା କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଓ ଥାନାକୁ ସାପ କାମୁଡାରେ ମୃତ୍ୟୁ ନେଇ ଖବର ଦେଇଥିଲେ। ଚନ୍ଦାହାଣ୍ଡି ଥାନା ଆଇଆଇସି ଅଭୟ ବେହେରା ଓ ଷ୍ଟାଫ ମେଡିକାଲରେ ଅପରାହ୍ନ ୨.୩୦ ରେ ପହଞ୍ଚିଥିଲେ।

publive-image star2.com

ସେହି ସମୟରେ ଡାକ୍ତରଖାନାରେ ମୃତକ ଆଉ ନଥିଲେ। ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ଲୋକେ ପୁଅ ବଞ୍ଚିଥିବା କଥା କହି ପୁଣି ନିଜ ଗ୍ରାମକୁ ନେଇଯାଇଥିଲେ। ସେଠାରେ କିଛି ଗୁଣିଆକୁ ଡାକି ଝଡାଫୁଙ୍କାର ଆଶ୍ରୟ ନେଇଥିଲେ। ତଥାପି ପୁଅକୁ ଫେରିପାଇନଥିଲେ। ଏ ନେଇ ଡାକ୍ତର କହିଛନ୍ତି ଯେ ଗତ ୧୫ ଦିନ ମଧ୍ୟରେ ପ୍ରାୟ ୧୦ ଜଣ ସାପ କାମୁଡାରେ ମେଡିକାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଫେରିଛନ୍ତି। ଯେଉଁ ବ୍ୟକ୍ତି ମାନେ ସାପ କାମୁଡାରେ ଆକ୍ରାନ୍ତ ହୋଇ ଠିକ୍ ସମୟରେ ମେଡିକାଲକୁ ଆସୁଛନ୍ତି ସମସ୍ତେ ସୁସ୍ଥ ହୋଇ ଫେରୁଛନ୍ତି। କିନ୍ତୁ ଏବେ ବି କିଛି ଗାଁ ଗଣ୍ଡାରେ ଝଡାଫୁଙ୍କା ଉପରେ ବିଶ୍ବାସ ରଖୁଛନ୍ତି । ତେବେ ଖବର ଲେଖା ପର୍ଯ୍ୟନ୍ତ ଥାନାରେ କୌଣସି ଅପମୃତ୍ୟୁ ମାମଲା ରୁଜୁ ହୋଇ ନାହିଁ। ଯଦି ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହେଲେ ଶବ ବ୍ୟବଛେଦ ହେବ ବୋଲି ଜଣାପଡିଛି।