ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଇଟାଭଟା ଗ୍ରାମ ଝରଣପଡ଼ାରେ ବୁଧବାର ରାତିରେ ପରିବାର ଲୋକେ ଶୋଇଥିବା ବେଳେ ଘରେ ନିଆଁ ଲାଗି ଯାଇଥିଲା। ଏଥିରେ ୩ ଜଣ ଗୁରୁତର ଆହତ ହୋଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ବଡ଼ ଡାକ୍ତରଖାନାରେ ସୁଶୀଳା ଦେବାଙ୍ଗନଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, ଟିକେଶ୍ୱର ଦେବାଙ୍ଗନ, ପତ୍ନୀ ସୁଶୀଳା ଦେବାଙ୍ଗନ ଓ ଛୋଟ ପୁଅ ବୀର ଦେବାଙ୍ଗନ ଘରେ ଶୋଇଥିଲେ। ରାତି ପ୍ରାୟ ୩ଟାରେ କୌଣସି କାରଣରୁ ଘରେ ନିଆଁ ଲାଗି ଯାଇଥିଲା। ଫଳରେ ଘରଟି ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ଘରେ ଶୋଇଥିବା ସମସ୍ତ ସଦସ୍ୟ ପୋଡ଼ି ଗୁରୁତର ହୋଇଥିଲେ। ଖବରପାଇ କାଉନସିଲର ଦ୍ରୌପଦୀ ମେହେର, ସମାଜସେବୀ ସୁଶାନ୍ତ ମେହେର ସେମାନଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ନେବା ସହିତ ପୁଲିସକୁ ଖବର ଦେଇଥିଲେ। ପଡ଼ାବାସୀ ବାଲ୍ଟିରେ ପାଣି ଆଣି ନିଆଁ ଲିଭାଇଥିଲେ। ଟିକେଶ୍ୱରଙ୍କ ଶରୀରର ୩୦ ପ୍ରତିଶତ, ପୁଅ ବୀରର ଶରୀରର ୪୨ ପ୍ରତିଶତ ଓ ସୁଶୀଳାଙ୍କ ଶରୀରର ୯୨ ପ୍ରତିଶତ ଜଳି ଯାଇଥିଲା। ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁଶୀଳାଙ୍କ ମୃତ୍ୟୁ ଘଟିଥିଲା। ଟିକେଶ୍ୱର ଓ ପୁଅ ବୀରଙ୍କୁ ରାୟପୁର ସ୍ଥାନାନ୍ତର ପାଇଁ ପରିବାର ଲୋକ ପ୍ରୟାସ କରୁଥିବା ଜଣାଯାଇଛି। ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ।
ତେବେ କେହି ଘର ଭିତରକୁ ପେଟ୍ରୋଲ ପକାଇ ନିଆଁ ଲଗାଇ ମାରିବାକୁ ଉଦ୍ୟମ କରିଥିବା ଟିକେଶ୍ୱର ଅଭିଯୋଗ କରିଛନ୍ତି। ଖବର ପାଇ ବ୍ରଜରାଜନଗର ପୁଲିସ ବୁର୍ଲାରେ ପହଞ୍ଚି ଶବ ଜବତ କରିବା ସହିତ ଟିକେଶ୍ୱରଙ୍କୁ ଅଗ୍ନିକାଣ୍ଡ ସମ୍ପର୍କରେ ପଚାରଉଚରା କରୁଛି। ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/kan-f.jpg)