ଧାମରା ବନ୍ଦରରେ ଦୂୁର୍ଘଟଣା କନଭେୟର ବେଲ୍ଟ ଲାଇନ୍ ଜଣେ ଶ୍ରମିକ ମୃତ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଧାମରା ବନ୍ଦର କମ୍ପାନୀରେ କାର୍ଯ୍ୟରତ ଶ୍ରମିକ ପ୍ରମୋଦ ପରିଡ଼ା (୨୬) ଆଜି କାର୍ଯ୍ୟରତ ଅବସ୍ଥାରେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ବନ୍ଦର କମ୍ପାନୀ ମଧ୍ୟରେ ଥେଜୋ କମ୍ପାନୀ ଅଧିନରେ କାର୍ଯ୍ୟ କରୁଥିବା ସମୟରେ ଅପରାହ୍ନ ଦେଢ଼ଟାବେଳେ କାର୍ଯ୍ୟରତ ଅବସ୍ଥାରେ କୋଇଲା ଅନଲୋଡ଼ିଂ ଟିପି-୨୨ କନଭେୟର ବେଲ୍ଟ ଲାଇନରେ କାର୍ଯ୍ୟ କରୁଥିବା ବେଳେ ବେଲ୍ଟରେ ଷ୍ଟିଲ ରଡ଼ ବାହାରି ଯାଇଥିଲା । ତେବେ ପ୍ରମୋଦ ଏହି ରଡ଼କୁ କାଟିବାକୁ ଯାଇଥିଲେ ।

ଏହି ସମୟରେ ବିଦ୍ୟୁତ ଲାଇନ ସୁଇଚ ଅଫ କରିଦେଇ ଉପରକୁ ଚଢ଼ି କାର୍ଯ୍ୟ କରୁଥିଲେ । ମାତ୍ର କୈାଣସି କାରଣ ପାଇଁ ସୁଇଚ ଅନ ହୋଇଯିବାରୁ ବେଲ୍ଟ ଚଳାଚଳ କରିଥିଲା | ଫଳରେ ବେଲ୍ଟରେ ଚାପି ହୋଇଯାଇ ମୃତ୍ୟୁ ହୋଇଯାଇଥିବା ସୁଚନା ମିଳିଛି ।

ଚାନ୍ଦବାଲି ବ୍ଳକ ଓରାସାହୀ ପଂଚାୟତ କସ୍ତୁରୀକଣ ଗାଁର ଫକିର ପରିଡ଼ାଙ୍କ ସାନ ପୁଅ ପ୍ରମୋଦ ପରିଡ଼ା (କାଳିଆ) ୪ ବର୍ଷ ତଳେ ବିବାହ ହୋଇଥିବା ବେଳେ ତାଙ୍କର ଦୁଇ ବର୍ଷର ଗୋଟିଏ ଝିଅ ଅଛି । ଖବର ପ୍ରଚାରିତ ହେବା ପରେ ପରିବାର ଲୋକଙ୍କ କାନ୍ଦବୋବାଳିରେ କମ୍ପି ଉଠୁଛି ଗାଁ ଦାଣ୍ଡ । ତାଙ୍କ ଶଶୁର ଘର ସମ୍ପର୍କୀୟ ଓ ତାଙ୍କ ଭାଇମାନେ ଏନେଇ ବନ୍ଦର କମ୍ପାନୀ ନିକଟକୁ ଯାଇଥିବାବେଳେ ଧାମରା ଥାନାରେ ଏସମ୍ପର୍କରେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର