ବଡ଼ମ୍ବା : ମହାନଦୀରେ ଡଙ୍ଗାରେ ବୁଲି ସେଲ୍ଫି ନେବା କାଳ ହେଲା। ଡଙ୍ଗା ବୁଡି ଯିବା ଫଳରେ ଜଣଙ୍କର ସଲିଳ ସମାଧି ହୋଇଯାଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଗତକାଲି ବଡ଼ମ୍ବାର ଭଟ୍ଟାରିକା ପୀଠ ନିକଟ ମହାନଦୀରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।
ଗତକାଲି ଅପରାହ୍ନ ପ୍ରାୟ ୫ଟା ସମୟରେ ମହାନଦୀରେ ୩ଜଣ ପର୍ଯ୍ୟଟକ ନୌକାବିହାର କରୁଥିବା ବେଳେ ସେଲ୍ଫି ନେଉଥିଲେ। ସେହି ସମୟରେ ନିୟନ୍ତ୍ରଣ ହରାଇ ଡଙ୍ଗାଟି ବୁଡିଯାଇଥିଲା। ଫଳରେ ସେଥିରେ ଥିବା ତିନି ଜଣ ବ୍ୟକ୍ତି ବୁଡି ଯାଉଥିବାବେଳେ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ପଦକ୍ଷେପ ନେଇଥିଲେ। କିନ୍ତୁ ଦୁଇ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ନିଖୋଜ ହୋଇଯାଇଥିଲେ। ତେବେ ଶନିବାର ସକାଳେ ନିଖୋଜ ଥିବା ସୁନିଲ ସାହୁଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ, ଭଟ୍ଟାରିକା ପୀଠକୁ ବଣଭୋଜି କରିବାକୁ ଆସିଥିବା ନବକୁମାର ମହାନ୍ତି, ଅଞ୍ଜନ ନାୟକ ଓ ସୁନିଲ ସାହୁ ନାଉରିଆ ନ ଥିଲେ ମଧ୍ୟ ଏକ ହୁଲି ଡଙ୍ଗା ନେଇ ମହାନଦୀକୁ ନୌବିହାର ଲାଗି ଚାଲି ଯାଇଥିଲେ। ସେମାନେ ନଦୀ ମଝିରେ ଥିବା ବେଳେ ସେଲଫି ନେଉଥିଲେ। ଏହି ସମୟରେ କୌଣସି କାରଣରୁ ଡଙ୍ଗାଟି ଓଲଟି ପଡ଼ିଥିଲା। ଫଳରେ ତିନି ଜଣଯାକ ପାଣିରେ ପଡ଼ି ଯାଇଥିଲେ। କିନ୍ତୁ ନବକୁମାର ମହାନ୍ତି ଓ ଅଞ୍ଜନ ନାୟକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସୁନିଲ ନିଖୋଜ ଥିଲେ।
ସେମାନେ ଜଗତସିଂହପୁରରୁ ଭଟ୍ଟାରିକା ପୀଠକୁ ବୁଲିବାକୁ ଆସିଥିଲେ। ତିନି ଜଣ ଜଗତସିଂହପୁର ବିଦ୍ୟୁତ୍ ବିଭାଗରେ କାର୍ଯ୍ୟ କରୁଥିବା ଜଣାପଡିଛି। ମୃତ ସୁନିଲଙ୍କ ଘର ବ୍ରହ୍ମପୁର ଅଞ୍ଚଳରେ ହୋଇଥିବା ବେଳେ ନବକୁମାର ଓ ଅଞ୍ଜନଙ୍କ ଘର ଜଗତସିଂହପୁରରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/selfie.png)