ଭିମ୍‌ସାର: ଜଣେ ଡାକ୍ତର ମାଡ଼ି ବସିଛନ୍ତି ଦୁଇଟି ପଦ

ସମ୍ବଲପୁର: ଭିମ୍‌ସାର ସ୍ବୟଂଶାସିତ ହେବା ପରେ ବି ସବୁକିଛି ଠିକ୍ ଚାଲି ନାହିଁ। କେହି କେହି ସମର୍ପିତ ଭାବେ କାମ କରୁଛନ୍ତି ତ ପୁଣି କେହି କେହି ଆଗଭଳି କିଛି ଘଣ୍ଟା ଡାକ୍ତରଖାନାରେ ରହି ଫେରାରି ମାରୁଛନ୍ତି।

‌ତେବେ, ଜଣେ ଡାକ୍ତର ଏକା ସାଂଗରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ପଦ ଅକ୍ତିଆର କରିବା ସହଜରେ ଲୋକେ ଗ୍ରହଣ କରିପାରୁନାହାନ୍ତି। ସଂପୃକ୍ତ ଡାକ୍ତର ପୁଣି ଅନେକ ସମୟରେ ଛୁଟି ରହୁଥିବା ଜଣାପଡ଼ିଛି। ଏବେ ଯିଏ ଭିମ୍‌ସାରର ଡିନ୍‌ ଦାୟିତ୍ବ ନିର୍ବାହ କରୁଛନ୍ତି, ସେ ଚକ୍ଷୁ ବିଭାଗର ବିଭାଗୀୟ ମୁଖ୍ୟ ପଦରେ ବି ରହିଛନ୍ତି। ଜଣେ ବ୍ୟକ୍ତି ଏକ ସଂଗରେ ପ୍ରଶାସନିକ ପଦ ସହିତ ଦୁଇଟି ଗୁରୁତ୍ବପୂର୍ଣ୍ଣ ପଦରେ ରହିବା ଦ୍ବାରା ସରକାରୀ ନିୟମର ଖୋଲାଖୋଲି ଉଲ୍ଲଂଘନ ‌ହେଉଥିବା ଅଭିଯୋଗ ହୋଇଛି। ସେ ଚକ୍ଷୁ ବିଭାଗର ଏକମାତ୍ର ପ୍ରଫେସର ହୋଇଥିବାରୁ ସମ୍ଭବତଃ ଡିନ୍ ସାଂଗକୁ ସଂପୃକ୍ତ ବିଭାଗର ବିଭାଗୀୟ  ମୁଖ୍ୟ ଦାୟିତ୍ବରେ ବି ରହିଛନ୍ତି। ତେବେ, ଏହା ଦ୍ବାରା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ଅନୁପାଳନରେ ବ୍ୟତିକ୍ରମ ଘଟୁଛି। ପୂର୍ବରୁ ଡାକ୍ତର ବ୍ରଜମୋହନ ମିଶ୍ରଙ୍କୁ ସମାନ କାରଣରୁ ହଟାଯାଇଥିଲା।

ସେ ସର୍ଜରି ବିଭାଗୀୟ ମୁଖ୍ୟ ସହିତ ଭିମ୍‌ସାର ଡିନ୍ ଦାୟିତ୍ବରେ ମଧ୍ୟ ରହିଥିଲେ। ଏହି କାରଣରୁ ତାଙ୍କୁ ଡିନ୍ ପଦରୁ ହଟେଇ ଦିଆଯାଇଥିଲା। ଜଣେ ବ୍ୟକ୍ତି ଏଭଳି ଦୁଇଟି ପଦରେ ରହିବା ଯୁକ୍ତଯୁକ୍ତି ନୁହେଁ ବୋଲି ଦର୍ଶାଇ ରାଜ୍ୟ ସରକାର ତାଙ୍କୁ ଡିନ୍ ପଦରୁ କାଢ଼ି ଦେଇଥିଲେ। ଫଳରେ ସେ ତାଙ୍କ ଚାକିରି ଜୀବନର ଶେଷ କିଛି ମାସ କେବଳ ବିଭାଗୀୟ ମୁଖ୍ୟ ପଦରେ ରହିଥିଲେ। ରାଜ୍ୟ ସରକାର ବିଭାଗୀୟ ମୁଖ୍ୟ ଦାୟିତ୍ବ ତୁଳାଇବା ନେଇ ନିକଟରେ ଏକ ନୂଆ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛନ୍ତି। କୌଣସି ବିଭାଗରେ ଜଣେ ମାତ୍ର ପ୍ରଫେସର ଥିଲେ ମଧ୍ୟ ସେ ସବୁଦିନ ବିଭାଗୀୟ ମୁଖ୍ୟ ପଦରେ ରହିପାରିବେ ନାହିଁ।

ଆସୋସିଏଟ୍ ପ୍ରଫେସରଙ୍କୁ ବି ବିଭାଗୀୟ ମୁଖ୍ୟ ଦାୟିତ୍ବ ଦିଆଯାଇପାରିବ। ପ୍ରଫେସର ଓ ଆସୋସିଏଟ୍‌ ପ୍ରଫେସର ପାଳି ଅନୁଯାୟୀ ୨ ବର୍ଷ ଲେଖାଏଁ ବିଭାଗୀୟ ମୁଖ୍ୟ ଦାୟିତ୍ବ ନିର୍ବାହ କରିବେ ବୋଲି ଏହି ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ପଶ୍ଚିମ ଓଡ଼ିଶା କଲ୍ୟାଣ ସମିତି ଜଣେ  ଡାକ୍ତର ଦୁଇଟି ଗୁରୁତ୍ବପୂ୍ର୍ଣ୍ଣ ପଦରେ ରହିବା ନେଇ ପ୍ରଶ୍ନ ଉଠାଇଛି। ଭିମ୍‌ସାରରେ ଏଭଳି ଅନେକ ପରିଚାଳନାଗତ ତ୍ରୁଟି ରହିଛି। ଏସବୁ ଶୀଘ୍ର ଦୂର କରିବା ସହିତ ଏମ୍‌ସ୍‌ ଢାଞ୍ଚାରେ ଭିମ୍‌ସାର ପରିଚାଳନା ନିମନ୍ତେ ପଦକ୍ଷେପ ନିଆଯାଉ ବୋଲି ପଶ୍ଚିମ୍ ଓଡ଼ିଶା କଲ୍ୟାଣ ସମିତି ପକ୍ଷରୁ କହାଯାଇଛି।

ସମ୍ବନ୍ଧିତ ଖବର