ମାଲକାନଗିରି : ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ କିଛି ଦିନ ହେଲା ଚକ୍ଷୁରୋଗୀଙ୍କ ସଂଖ୍ୟା ଅସ୍ବାଭାବିକ ଭାବେ ବଢ଼ିଛି। ଦୈନିକ ୨ଶହରୁ ଅଧିକ ରୋଗୀ ଡାକ୍ତରଖାନାକୁ ଚକ୍ଷୁ ସମସ୍ୟା ନେଇ ଆସୁଛନ୍ତି। ସେଥିରୁ ଅଧିକାଂଶ ଆଖିଧରା ରୋଗୀ। ଭୂତାଣୁ ଜନିତ ରୋଗ ହୋଇଥିବାରୁ ଦ୍ରୁତଗତିରେ ବ୍ୟାପୁଥିବା ବେଳେ ସ୍ଥିତି ଚିନ୍ତାଜନକ ରହିଛି। କାରଣ ରୋଗୀଙ୍କ ମଧ୍ୟରେ ଅଧିକାଂଶ ବିଦ୍ୟାଳୟ ଛାତ୍ରଛାତ୍ରୀ। ଏତେ ସଂଖ୍ୟାରେ ରୋଗୀ ଆସୁଥିବାରୁ ସେମାନଙ୍କ ତଥ୍ୟ ମଧ୍ୟ ରେକର୍ଡ ହୋଇପାରୁନି। ଅନ୍ୟପକ୍ଷରେ ଜଣେମାତ୍ର ଡାକ୍ତର ରହିଥିବାରୁ କାର୍ଯ୍ୟଚାପ ଅଧିକ ପଡ଼ୁଛି। ଏମିତି ସ୍ଥିତିରେ କିଛି ଜରୁରୀ ଔଷଧ ମଧ୍ୟ ଡାକ୍ତରଖାନାରେ ନିଅଣ୍ଟ ପଡ଼ିଲାଣି। ତେଣୁ ରୋଗୀଙ୍କୁ ବିକଳ୍ପ ଔଷଧ ଦିଆଯାଉଛି। ଯଦି କିଛି ଦିନ ମଧ୍ୟରେ ଔଷଧ ନଆସେ ତେବେ ବଡ଼ ସଂକଟ ସୃଷ୍ଟି ହେବ ବୋଲି କୁହାଯାଉଛି।
ମାଲକାନଗିରି ଜିଲ୍ଲାରେ ବର୍ଷା ପ୍ରଭାବ ବଢ଼ିବା ପରେ ଆଖିଧରା ଭଳି ଡିଆଁ ରୋଗ ବେକାବୁ ହୋଇଛି। ପରିବାରରୁ ଜଣେ ସଂକ୍ରମିତ ହେଲେ ଅନ୍ୟ ଜଣଙ୍କୁ ଡେଉଁଛି। ବିଶେଷ କରି ଛାତ୍ରଛାତ୍ରୀ ଏହି ରୋଗରେ ସର୍ବାଧିକ ସଂକ୍ରମିତ ହୋଇଛନ୍ତି। ହଷ୍ଟେଲରେ ରହି ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ। ଆଖି ସଂପୂର୍ଣ୍ଣ ନାଲି ହୋଇଯାଇ ଅନବରତ ଲୁହ ଝରୁଛି। ଯନ୍ତ୍ରଣା ସହ ଜ୍ବର ଭଳି ଲକ୍ଷଣ କିଛି ରୋଗୀଙ୍କ ନିକଟରେ ଦେଖିବାକୁ ମିଳିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚକ୍ଷୁ ଚିକିତ୍ସା ବିଭାଗକୁ ଗତ ମେ ମାସରେ ସମୁଦାୟ ୯୫୬ଜଣ ରୋଗୀ ଚିକିତ୍ସା ପାଇଁ ଆସିଥିଲେ। ଜୁନ୍ ମାସରେ ହଠାତ୍ ୩ଗୁଣ ଅଧିକ ଅର୍ଥାତ ୨୭୧୧ଜଣ ରୋଗୀ ଚିକିତ୍ସିତ ହୋଇଥିଲେ। ଚଳିତ ମାସରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ମାସର ପ୍ରଥମ ସପ୍ତାହରେ ଦୈନିକ ଶହେରୁ ଅଧିକ ରୋଗୀ ଆସୁଥିଲେ। ଗତ ସପ୍ତାହ ଠାରୁ ଦୈନିକ ରୋଗୀ ସଂଖ୍ୟା ୨ଶହରୁ ଅଧିକ ରହିଥିବା ଜଣାପଡ଼ିଛି। ଅନ୍ୟପଟେ ଜିଲ୍ଲାରେ ସ୍ଥାୟୀ ଚକ୍ଷୁରୋଗ ବିଶେଷଜ୍ଞ ନାହାନ୍ତି। ନୂଆ ନିଯୁକ୍ତି ସରକାର ଦେଉନଥିବା ବେଳେ ଜଣେ ଏଲଟିଆରଏମ୍ଓ ଡାକ୍ତରଙ୍କୁ ଚକ୍ଷୁ ଚିକିତ୍ସା ବିଭାଗର ସଂପୂର୍ଣ୍ଣ ଦାୟିତ୍ବ ଦିଆଯାଇଛି।