ରାଜ୍ୟରେ ୧୯୪୩ ଲୋକଙ୍କ ପିଛା ଜଣେ ଡାକ୍ତର ଅଛନ୍ତି : ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତର ରଖି ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ରାଜ୍ୟରେ ମୋଟ ୨୨ ହଜାର ୫୨୧ ଡାକ୍ତର ଅଛନ୍ତି ବୋଲି ସୂଚନା ଦେଇଛନ୍ତି। ତେବେ ରାଜ୍ୟର ଲୋକସଂଖ୍ୟା ଦୃଷ୍ଟିରୁ ୧୯୪୩ ଲୋକଙ୍କ ପିଛା ଜଣେ ଡାକ୍ତର ଥିବା ଏହି ଲିଖିତ ଉତ୍ତରରେ କୁହାଯାଇଛି । ତେବେ ନିୟମ ଅନୁସାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଜଣେ ଲେଖାଏଁ ଡାକ୍ତର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ୮ଜଣ କରି ଡାକ୍ତର ରହିବା କଥା।

ଇଣ୍ଡିଆନ ପବ୍ଲିକ ହେଲଥ ଷ୍ଟାଣ୍ଡାର୍ଡ ଅନୁସାରେ ମୋଟ୍ ୬ ହଜାର ୩୧୫ ଏଲୋପାଥିକ ଡାକ୍ତର ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ୭ ହଜାର ୨୪ ଜଣ ଡାକ୍ତର କାର୍ଯ୍ୟରତ ଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ସେହିପରି ଗୃହରେ କୋଭିଡ ଖର୍ଚ୍ଚ ହିସାବ ଦେଇଛନ୍ତି ସରକାର । ଏଥିରେ କୁହାଯାଇଛି କି ରାଜ୍ୟର ମୋଟ୍ ୩୩ଟି ଘରୋଇ ହସ୍ପିଟାଲରେ ମୋଟ୍ ୪୭୯ କୋଟି ୯୦ ଲକ୍ଷ ୪୪ ହଜାର ୮୯୩ ଟଙ୍କା ଦାବି କରାଯାଇଛି। ତେବେ ସରକାର ୩୪୪ କୋଟି ୫୫ ଲକ୍ଷ ୫୪ ହଜାର ଟଙ୍କା ପ୍ରଦାନ କରିଛନ୍ତି।

ସେହିପରି କଟକ ମହାନଗର ନିଗମର କୋଭିଡ ଖର୍ଚ୍ଚ ନେଇ ମଧ୍ୟ ବିଧାନସଭାରେ ତଥ୍ୟ ଦିଆଯାଇଛି । କଂଗ୍ରେସ ବିଧାୟକ ମହମଦ ମୋକ୍କିମଙ୍କ ଏକ ପ୍ରଶ୍ନର ଉତ୍ତର ରଖି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି- କଟକ ମହାନଗରର କୋଭିଡ ଆକ୍ରାନ୍ତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ପିଛା ୧୬ ହଜାର ୨୭୯ ଟଙ୍କା ୩୨ ପଇସା ଖର୍ଚ୍ଚ କରିଛନ୍ତି ସରକାର । କେବଳ କଟକ ମହାନଗର ନିଗମକୁ ଏଥିପାଇଁ ୨୬ କୋଟି ୭୪ ଲକ୍ଷ ୮୬୮ ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର।

ସମ୍ବନ୍ଧିତ ଖବର