ଢେଙ୍କାନାଳ: ସରକାର ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଅନେକ ଯୋଜନା କରୁଛନ୍ତି। ତେବେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ୭ ବର୍ଷ ପୂର୍ବରୁ ଏଠାରେ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଖୋଲା ଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଆବଶ୍ୟକ ଅନୁଯାୟୀ ଡାକ୍ତର ନିଯୁକ୍ତି ହୋଇପାରୁ ନାହିଁ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୧୭ ଡାକ୍ତର ପଦରୁ ୬୬ଟି ଡାକ୍ତର ପଦ ଖାଲିପଡ଼ିଛି। ଗତ ୬ମାସରେ ସିଡିଏମ୍ଓ, ଏଡିଏମ୍ଓଙ୍କୁ ମିଶାଇ ୬ ଜଣ ନୂଆ ଡାକ୍ତର ଆସିଛନ୍ତି। ୫୧ ଡାକ୍ତରରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ରହିଥିବା ବେଳେ ସେଥିରୁ ୧୬ ଜଣ ଡାକ୍ତର ପିଜି ପଢ଼ିବାକୁ ଯାଇଛନ୍ତି। ମାତ୍ର ୩୫ ଡାକ୍ତର କାର୍ଯ୍ୟରତ ଅଛନ୍ତି। ଗ୍ରାମାଞ୍ଚଳ ରୋଗୀଙ୍କୁ ଛାଡ଼ିଦେଲେ ସହରବାସୀ ମୁଖ୍ୟତଃ ଏହି ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି। ସହରର ଲୋକସଂଖ୍ୟାକୁ ଦେଖିଲେ ୩ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଦେବାପାଇଁ ମାତ୍ର ଜଣେ ଡାକ୍ତର ରହିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏପରି ବିକଳଚିତ୍ର ଯୋଗୁଁ ଉନ୍ନତମାନର ସେବାରୁ ଲୋକେ ବଞ୍ଚିତ ହେଉଛନ୍ତି। ଯେଉଁଥି ପାଇଁ ଘରୋଇ ଚିକିତ୍ସାଳୟ ଉପରେ ନିର୍ଭର କରି ଖର୍ଚ୍ଚାନ୍ତ ହେବା ସହ ହଇରାଣ ହେଉଛନ୍ତି।
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାତି ଓ ଯକ୍ଷ୍ମା ବିଭାଗରେ ୭ ବର୍ଷ ଧରି ଆଦୌ ଡାକ୍ତର ନାହାନ୍ତି। ସେହିପରି କୁଷ୍ଠରୋଗ ବିଶେଷଜ୍ଞ ପଦ ଓ ଚର୍ମରୋଗ ଡାକ୍ତର ପଦ ମଧ୍ୟ ଖାଲିପଡ଼ିଛି। ୭ ମହଲା ବିଶିଷ୍ଟ ଏହି ଚିକିତ୍ସାଳୟରେ ଅନ୍ତେବାସୀଙ୍କ ପାଇଁ ୩୦୦ ଶଯ୍ୟା ରହିଛି। ସେହିପରି ଦୈନିକ ୧୦୦୦ରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆବଶ୍ୟକତା ଅନୁପାତରେ ମାତ୍ର ୩୩ ପ୍ରତିଶତ ଡାକ୍ତରରେ ରୋଗୀସେବା ଚାଲିଛି। ରାତି ଡ୍ୟୁଟି କରୁଥିବା ଡାକ୍ତର ସପ୍ତାହରେ ଦିନେ ଛୁଟିରେ ରହୁଥିବା ବେଳେ ବ୍ୟକ୍ତିଗତ କାରଣରୁ ମଧ୍ୟ ଡାକ୍ତରମାନେ ଛୁଟିରେ ରହୁଛନ୍ତି। ବହିଃ ବିଭାଗରେ ଯେଉଁଦିନ ମାତ୍ର ଜଣେ ଡାକ୍ତର ରହୁଛନ୍ତି, ସେହିଦିନ ଅବସ୍ଥା ଅସମ୍ଭାଳ ହୋଇପଡ଼ୁଛି। ଆବଶ୍ୟକ ଡାକ୍ତର ଅଭାବରୁ ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ପଦଗୁଡ଼ିକ ପୂରଣ ଦିଗରେ ସରକାର ଦୃଷ୍ଟିଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)