ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣା ନିକଟ ଫୁର୍‌ଲିଝରଣ ଜଳପ୍ରପାତରେ ଆଜି ଅପରାହ୍‌ଣରେ ଅଘଟଣ ଘଟିଛି। ଜଳପ୍ରପାତରେ ଗୋଧୋଇବା ସମୟରେ ଶିଶୁପୁତ୍ରକୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିବା ବାପାଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳର ହୋଇଥିବା କୁହାଯାଉଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ତାଙ୍କର ପରିଚୟ ମିଳିପାରି ନାହିଁ।

Advertisment

ସୂଚନା ଅନୁସାରେ ଟିଟିଲାଗଡ଼ ଅଞ୍ଚଳରୁ ଆଜି ସକାଳୁ ଏକ ଗୋଷ୍ଠୀ ବଣଭୋଜୀ କରିବା ପାଇଁ ଫୁର୍‌ଲିଝରଣକୁ ଯାଇଥିଲେ। ସେଠ‌ାରେ ସେମାନେ ପୂର୍ବାହ୍‌ଣରେ ପହଞ୍ଚିଥିଲେ। ସଂପୃକ୍ତ ଗୋଷ୍ଠୀର କିଛି ସଦସ୍ୟ ରୋଷେଇ କାମରେ ବ୍ୟସ୍ତ ଥିବା ବେଳେ ଅନ୍ୟମାନେ ଝରଣାକୁ ଗାଧୋଇବାକୁ ଯାଇଥିଲେ। ଏଥିରେ ଜଣେ ଶିଶୁପୁତ୍ର ମଧ୍ୟ  ସାମିଲ ଥିଲା। ଜଳର ଗଭୀରତା ବିଷୟରେ ସେ ଜାଣି ନପାରି ଗଭୀରକୁ ପ୍ରବେଶ କରିଥିଲା। ଶିଶୁପୁତ୍ର ପାଣିରେ ବୁଡ଼ି ଯାଉଥିବା ଦେଖି ବାପା ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେ ନିଜେ ବୁଡ଼ି ଯାଇଥିଲେ। ପରିବାର ଲୋକେ ଉଭୟ ବାପ-ପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତେବେ ହସ୍‌ପିଟାଲରେ ଶିଶୁପୁତ୍ରର ବାପାଙ୍କୁ ମୃତ ଘୋଷଣା କରିଛନ୍ତି। କୁହାଯାଉଛି ଯେ, ଜଳପ୍ରପାତ ନିକଟରେ ଲାଗିଥିବା ଲୁହାର ବେରିକେଡ୍‌ ଅତିକ୍ରମ କରି ଶିଶୁପୁତ୍ର ପାଣି ଭିତରକୁ ପ୍ରବେଶ କରିଥିଲା।

ସୂଚନାଯୋଗ୍ୟ, ବଣ-ଜଙ୍ଗଲ ଘେରା ଫୁର୍‌ଲିଝରଣର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ବହୁ ଦୂରଦୂରାନ୍ତରୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ଅକ୍ଟୋବର ମାସଠାରୁ ଫେବ୍ରୁଆରି ମାସ ପର୍ଯ୍ୟନ୍ତ ଏଠାରେ ବହୁ ସଂଖ୍ୟାରେ ବଣଭୋଜୀର ଆୟୋଜନ ହୋଇଥାଏ। ଏହି ସମୟ ମଧ୍ୟରେ  ବୁଧବାର, ଶୁକ୍ରବାର ଓ ରବିବାର ଦିନ ଗୁଡ଼ିକରେ  ଅଧିକ ଭୋଜୀଭାତର ଆସର ଜମିଥାଏ। ଫୁର୍‌ଲିଝରଣର ଶୀତଳ ଜଳର ମଜା ନେବା ପାଇଁ ପର୍ଯ୍ୟଟକମାନେ ପାଣିରେ ପଶିଥାନ୍ତି। ଏଥିରୁ ଅନେକ ଦୁର୍ଘଟଣାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି। ଅତୀତରେ ମଧ୍ୟ ଏଠାରେ ଅଘଟଣ ଘଟିଛି। ଝରଣାକୁ ପ୍ରବେଶ ପାଇଁ କଟକଣା ଲାଗୁ ହୋଇଥିଲା। ଏଠାରେ ବେରିକେଡ ଲଗାଯାଇଥିବା ବେଳେ, ନିୟମ ଉଲ୍ଲଂଘନ କରି ଭିତରକୁ ପ୍ରବେଶ କରୁଥିବା ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି।