ଅନେକ ବଦଳରେ ଗୋଟିଏ ଫାଇନର ବ୍ୟବସ୍ଥା କରିବାକୁ ଯୋଜନା କରୁଛି ରାଜ୍ୟ ପରିବହନ ବିଭାଗ!

ଭୁବନେଶ୍ବର: ଗାଡ଼ିଚାଳକଙ୍କ ପାଇଁ ସାମୟିକ ଆଶ୍ୱସ୍ତି । ନୂଆ ସଂଶୋଧିତ ମୋଟର ଯାନ ଆଇନକୁ କୋହଳ କରିବାକୁ ଯୋଜନା କରୁଛି ରାଜ୍ୟ ପରିବହନ ବିଭାଗ । ଅନେକ ବଦଳରେ ଗୋଟିଏ ଫାଇନର ବ୍ୟବସ୍ଥା କରାଯିବ ।  ବିଭିନ୍ନ ପ୍ରକାର ଫାଇନ୍ ଆଦାୟ ବଦଳରେ ଗୋଟିଏ ଫାଇନ୍ ଆଦାୟ କଲେ ଲୋକଙ୍କ ପାଇଁ ସୁବିଧା ହେବ ।

ସେପ୍ଟେମ୍ବର ୧ ତାରିଖରୁ ନୂଆ ନିୟମ ଲାଗୁ ହେବାପରେ ସାରା ଦେଶ ତଥା  ରାଜ୍ୟରେ ହଜାର ହଜାର ଟଙ୍କା ଜରିମାନା ଆକାରରେ ଗଣିଲେଣି ଲୋକେ । ମାତ୍ର ୫ ଦିନର ନିୟମରେ ଅଥୟ ହୋଇଗଲେଣି ଲୋକେ । ଘରୁ ବାହାରିବା ମାତ୍ରେ ଟଙ୍କା ଗଣିବା ପାଇଁ ପଡ଼ୁଛି । ଗାଡ଼ି ବାହାର କଲେ ପକେଟ୍ ଖାଲି ହୋଇଯାଉଛି । ଏପରି ଆଉକିଛି ଦିନ ଚାଲିଲେ ଲୋକଙ୍କ ବ୍ୟାଙ୍କବାଲାନ୍ସ ଶେଷ ହୋଇଯିବ । ଜଣେ ସାଧାରଣ ଲୋକର କଷ୍ଟ ଉପାର୍ଜିତ ଧନ ଜରିମାନାରେ ହିଁ ଚାଲିଯିବ ।

ନୂଆ ନିୟମ ଅନୁଯାୟୀ ଗୋଟିଏ ନୁହେଁ ବିଭିନ୍ନ ପ୍ରକାର ଜୋରିମାନା ଲଗାଇ ଚାଲାଣ କଟାଯାଉଛି । ସାଧାରଣ ନିୟମ ଖିଲାପ କଲେ, ମଦ ପିଇ ଗାଡ଼ି ଚଳାଇଲେ , ରେଜିଷ୍ଟ୍ରେସନ୍ ନଥାଇ ଗାଡ଼ି ଚଳାଇଲେ,  ଦ୍ରୁତ ଗତିରେ ତଥା ବିପଜ୍ଜନକ ଭାବେ ଗାଡ଼ିଚାଳନା , ନାବାଳକ ଗାଡ଼ି ଚଳାଇଲେ, ପ୍ରଦୂଷଣ ନିୟମ ଖିଲାପ କଲେ ଭିନ୍ନ ଭିନ୍ନ ଜୋରିମାନା ଆଦାୟ ହେଉଛି । ତେବେ ଲୋକଙ୍କ ଅସୁବିଧା ଦୃଷ୍ଟିରୁ ଏହି ନିୟମକୁ କୋହଳ କରି କେବଳ ଗୋଟିଏ ନିୟମ ଆଣିବା ପାଇଁ ଯୋଜନା ଚାଲିଛି । ଅନେକ ବଦଳରେ ଗୋଟିଏ ପ୍ରକାର ଜୋରିମାନା ଆଦାୟ କଲେ ଲୋକଙ୍କ ପାଇଁ ସୁବିଧା ହେବ ।

ବିଭିନ୍ନ ପ୍ରକାର ଜୋରିମାନା ଆଦାୟ ପରେ ଚାରିଆଡ଼େ ବିଦ୍ରୋହର ସ୍ୱର ଉଠୁଛି । ଜରିମାନା ଆଦାୟରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି । ଆମ ରାଜ୍ୟରେ ହିଁ ନିୟମ ଉଲ୍ଲଂଘନ କରି ଅଧିକ ଜରିମାନା ଦେଇଛନ୍ତି ଲୋକେ । ମାତ୍ର ୪ ଦିନ ଭିତରେ ଜରିମାନା ବାବଦରେ ଗାଡି ଚାଳକଙ୍କଠାରୁ ୮୮ ଲକ୍ଷ ୯୦ ହଜାର ୧୦୭ ଟଙ୍କା ଆଦାୟ କରିଛି ଓଡିଶା । ରାଜ୍ୟରେ ଅଟୋଚାଳକମାନେ ଅଧିକ ଫାଇନ୍ ଭରିଲେଣି ।

ରାଜଧାନୀରେ ବୁଧବାର ଜଣେ ଅଟୋ ଚାଳକଙ୍କୁ ୪୭ହଜାର ୫୦୦ ଟଙ୍କା ଫାଇନ କରାଯାଇଥିଲା । ତାପରେ ଗତକାଲି ଆଉ ଜଣେ ଅଟୋ ଚାଳକଙ୍କଠାରୁ ୨୭ ହଜାର ୫୦୦ ଟଙ୍କା ଆଦାୟ କରାଯାଇଛି । ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।  ତେବେ ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି ଦେବାପାଇଁ ଅନେକ ବଦଳରେ ଗୋଟିଏ ଫାଇନର ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ଏହି ନିୟମ ଲାଗୁହେଲେ ଲୋକେ ଅଯାଚିତ ଫାଇନ୍ ଆଦାୟରୁ ରକ୍ଷା ପାଇବେ ।

ସମ୍ବନ୍ଧିତ ଖବର