ଦର୍ଶନ ବେଳେ ଶ୍ରୀମନ୍ଦିରରେ ଦଳାଚକଟା : ହବିଷ୍ୟାଳିଙ୍କୁ ପାଦରେ ଚକଟି ପଳାଇଲେ ଭକ୍ତ, ଗୋଡ଼ ଭାଙ୍ଗିଲା, ଅନେକ ଆହତ

ପୁରୀ : ଯାହା ଅନୁମାନ କରାଯାଉଥିଲା ସେଇଆ ହିଁ ହେଲା। ମଙ୍ଗଳ ଆଳତି ଦର୍ଶନ ବେଳେ ଆଜି ଶ୍ରୀମନ୍ଦିରରେ ଦଳାଚକଟା ହୋଇ ଏକାଧିକ ହବିଷ୍ୟାଳି ଗୁରୁତର ଆହତ ହୋଇଛନ୍ତି। ମନ୍ଦିର ପ୍ରଶାସନର ପରିଚାଳନାଗତ ତ୍ରୁଟି ଯୋଗୁ ହବିଷ୍ୟାଳିଙ୍କୁ ଏମିତି ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଛି। କାର୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତି ଦିନ ସିଂହଦ୍ବାର, ସାତପାହାଚରେ ପ୍ରବଳ ଭିଡ଼ ସାଙ୍ଗକୁ ଠେଲାପେଲା ହେଉଛି। ଏହା ସତ୍ତ୍ବେ ଶ୍ରୀମନ୍ଦିର ପ୍ରଶାସନ ଆଜି ପର୍ଯ୍ୟନ୍ତ ଏହାର ବିକଳ୍ପ ବ୍ୟବସ୍ଥା କରୁନଥିବାରୁ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଯାହାର ପରିଣାମ ସ୍ବରୂପ ଭକ୍ତଙ୍କ ଦଳାଚକଟାରେ ଆଜି ଜଣେ ହବିଷ୍ୟାଳିଙ୍କ ଗୋଡ଼ ଭାଙ୍ଗିଛି। ହବିଷ୍ୟାଳି ଜଣକ ହେଲେ ପୁରୀ ମାର୍କଣ୍ଡେଶ୍ବର ସାହି ବାଲିତୁଠର ବିଳାସିନୀ ବେହେରା (୭୮)। ସେହିଭଳି କଟକର ମୀନତି ସାହୁ ଓ ଅନ୍ୟମାନେ ଭିଡ଼ ଭିତରେ ପଡ଼ି ଆହତ ହୋଇଛନ୍ତି। ସେମାନଙ୍କ ଗୋଡ଼ ଓ ଅନ୍ୟାନ୍ୟ ସ୍ଥାନରେ ଆଘାତ ଲାଗିଛି। ବିଳାସିନୀ ମୀନାଙ୍କ ସମେତ ଅନ୍ୟମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଆଗକୁ ଅଳାଁନବମୀ ଓ ପଞ୍ଚୁକ ରହିଛି। ଏହି ସମୟରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ହେବ। ଏଥିପୂର୍ବରୁ ଯଦି ଦର୍ଶନ ବ୍ୟବସ୍ଥା ବ୍ୟବସ୍ଥିତ କରାନଯାଏ ଆଗକୁ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇନପାରେ।

ମିଳିଥିବା ସୂଚନା ମୁତାବକ, ଆଜି ସକାଳେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଶେଷ ହେବା ପରେ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ାଯାଇଥିଲା। ଦର୍ଶନ ପାଇଁ ହବିଷ୍ୟାଳିଙ୍କ ସମେତ ବହୁ ଭକ୍ତ ଜୟବିଜୟ ଦ୍ବାର ନିକଟରେ ଭିଡ଼ ଲଗାଇଥିଲେ। ମଙ୍ଗଳ ଆଳତି ଓ ଦ୍ବାରଫିଟା ପରେ ଦଳଚକଟା ଆରମ୍ଭ ହୋଇ ଯାଇଥିଲା। ଭକ୍ତମାନେ ରଖାଯାଇଥିବା ବ୍ୟାରିକେଡ୍‌କୁ ଠେଲି ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। ଏହି ସମୟରେ ଜୟବିଜୟ ଦ୍ବାର ନିକଟରେ ଦର୍ଶନ ପାଇଁ ଛିଡ଼ା ହୋଇଥିବା ବିଳାସିନୀଙ୍କ ଗୋଡ଼ରେ ଏକ ବ୍ୟାରିକେଡ୍ ପଡ଼ି ଯାଇଥିଲା। ବ୍ୟାରିକେଡ୍ ତଳେ ବିଳାସିନୀଙ୍କ ଗୋଡ଼ ରହିଥିବା ବେଳେ ଦର୍ଶନ ପାଇଁ ରହିଥିବା ଭକ୍ତମାନେ ତା’ ଉପରେ ଚଢ଼ି ପଳାଇଥିଲେ। ଫଳରେ ବିଳାସିନୀଙ୍କ ଡାହାଣ ଗୋଡ଼ ଆଣ୍ଠୁ ତଳକୁ ଭାଙ୍ଗିଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ସେ ବର୍ତମାନ ସର୍ଜରୀ ୱାର୍ଡ଼ରେ ଚିକିତ୍ସାଧୀନ ଥିବା ବେଳେ ଗୋଡ଼ର ଯୋଡ଼େଇ ପାଇଁ ଅସ୍ତ୍ରୋପଚାର ଆବଶ୍ୟକ ବୋଲି ଚିକିତ୍ସା ଦାୟିତ୍ବରେ ଥିବା ଡାକ୍ତର କହିଛନ୍ତି। ସେହିପରି ଭିଡ଼ ସମୟରେ ମୀନତି ତଳେ ପଡ଼ିଯିବାରୁ ତାଙ୍କ ବାମ ଗୋଡ଼ରେ ଭକ୍ତମାନେ ଚଢ଼ି ଯାଇଥିଲେ। ତେବେ ତାଙ୍କ ଗୋଡ଼ ଭାଙ୍ଗିନଥିଲେ ବି ଗଭୀର ଆଘାତ ଲାଗିଛି। ତାଙ୍କୁ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି।

ସମ୍ବନ୍ଧିତ ଖବର