ଏଣିକି ରେଲୱେରେ ଗୋଟିଏ ହେଲ୍ପ ଲାଇନ-୧୩୯

ଭୁବନେଶ୍ବର : ରେଳବାଇରେ ଥିବା ସମସ୍ତ ହେଲ୍ପଲାଇନ ନମ୍ବରକୁ ହେଲ୍ପଲାଇନ ନମ୍ବର-୧୩୯ ସହିତ ମିଶ୍ରଣ କରାଯାଇଛି। ଯାତ୍ରୀ କିମ୍ବା ରେଳ ବ୍ୟବହାରକାରୀ ଏହି ନମ୍ବରକୁ ମନେ ରଖିବା ଓ ରେଳବାଇ ସହ ଯୋଗାଯୋଗ କରିବା ସହଜ ହୋଇପାରିବ। ରେଳବାଇ ହେଲ୍ପଲାଇନ ନମ୍ବର-୧୩୯ ସହ ସୁରକ୍ଷା, ସାଧାରଣ ଅଭିଯୋଗ, କ୍ୟାଟରିଂ, ଭିଜିଲାନ୍ସ ଆଦି ହେଲ୍ପ ଲାଇନ ନମ୍ବରକୁ ମିଶ୍ରଣ କରାଯାଇଛି। ଏହି ଐକିକ ହେଲ୍ପଲାଇନ ନମ୍ବର ଯାତ୍ରା ସମୟରେ ସମସ୍ତ ଅନୁସନ୍ଧାନ ଓ ଅଭିଯୋଗ ପାଇଁ ବ୍ୟବହୃତ ହେବ। ଜୋନାଲ ରେଳବାଇ ୧୩୯ ବ୍ୟତୀତ ଅନ୍ୟ କୌଣସି ନୂତନ ହେଲ୍ପ ଲାଇନ ନମ୍ବର କିମ୍ବା ଅଭିଯୋଗ ସଂଖ୍ୟା ବୃଦ୍ଧି କରିବ ନାହିଁ।

ପୂର୍ବରୁ ହେଲ୍ପଲାଇନ ନମ୍ବରଗୁଡିକ ନିର୍ଦ୍ଦିଷ୍ଟ ସମସ୍ୟା ଓ ବିଷୟ ପାଇଁ ଉତ୍ସର୍ଗୀକୃତ ହେଉଥିଲା। ସାଧାରଣ ଅଭିଯୋଗ ଓ କ୍ଲିନ ମାଇଁ କୋଚ୍ ଲାଗି ୧୩୮, ଦୁର୍ଘଟଣା ଓ ନିରାପତ୍ତା ପାଇଁ ୧୦୭୨, ସୁରକ୍ଷା/ନିରାପତ୍ତା ସମସ୍ୟା ଲାଗି ୧୮୨ ବର୍ତ୍ତମାନ ଏକୀକୃତ ହୋଇଛି। ଇଣ୍ଟିଗ୍ରେଟେଡ୍ ବା ମିଶ୍ରିତ ହେଲ୍ପଲାଇନ ନମ୍ବର-୧୩୯ ବିଭିନ୍ନ ଭାଷାରେ ଉପଲବ୍ଧ ହେବ। ଆଇଭିଆରଏସ୍‌(ଇଣ୍ଟରାକ୍ଟିଭ୍ ଭଏସ୍ ରେସପନ୍ସ ସିଷ୍ଟମ୍) ଉପରେ ଆଧାରିତ ହେବ। ସମସ୍ତ ପ୍ରକାର ମୋବାଇଲ୍ ବ୍ୟବହାରକାରୀ-୧୩୯ରେ ଯେପରି କଲ୍ କରିପାରିବେ ସେଥିପାଇଁ ଐକିକ ପ୍ରଣାଳୀକୁ କାର୍ଯ୍ୟକାରୀ କରାଯାଇଛି। ୧୩୯ ଡାଏଲ୍ କରିବା ଦ୍ୱାରା ଆଇଭିଆରଏସ୍‌ ବାଛିବା ପାଇଁ ମେନୁ ବିକଳ୍ପଗୁଡ଼ିକ ସହ ଉପସ୍ଥାପିତ ହେବ ଓ ତାହା ତୁରନ୍ତ କେନ୍ଦ୍ରୀୟ କାର୍ଯ୍ୟନିର୍ବାହୀଙ୍କୁ କଲ୍ କରିବାକୁ ସଂଯୋଗ ହେବ। ଟ୍ରେନ ଚଳାଚଳର ମୁଖ୍ୟ ଦରକାରୀ ଅନୁସନ୍ଧାନ ଯଥା ସଂରକ୍ଷଣ ସମ୍ବନ୍ଧୀୟ ଅନୁସନ୍ଧାନଗୁଡିକର ପିଏନ୍‌ଆର ସ୍ଥିତି, ଟିକେଟ୍(ଜେନେରାଲ୍ ଓ ତତ୍କାଳ) ଉପଲବ୍ଧତା, ଟ୍ରେନ୍ ଆଗମନ, ପ୍ରସ୍ଥାନ, ମାର୍ଗ ପରିବର୍ତ୍ତନ ଓ ବାତିଲ କାର୍ଯ୍ୟସୂଚୀ, ବର୍ଥ ଉପଲବ୍ଧତା, ଟିକେଟ୍ ବାତିଲ୍, ଭଡ଼ା, ଗନ୍ତବ୍ୟ ସ୍ଥଳ ଆଦି ଜାଣିବା ପାଇଁ ଉପଭୋକ୍ତାମାନେ ଏଥିରେ କଲ୍ କରିବା ସହିତ ଏସଏମ୍‌ଏସ୍‌ ମଧ୍ୟ କରିପାରିବେ। ଏହାବ୍ୟତୀତ ଯାତ୍ରା ସମୟ ଆଲର୍ଟ, ୱେକଅପ୍ କଲ୍; ଅନ୍-ବୋର୍ଡ ସେବା ଓ ସୁରକ୍ଷା ସମ୍ବନ୍ଧୀୟ ଘଟଣା ଆଦି ସମ୍ବନ୍ଧରେ ଅଭିଯୋଗ ଓ ସୂଚନା ଆଦାନପ୍ରଦାନ କରାଯାଇ ପାରିବ। ହେଲ୍ପଲାଇନ୍ ନମ୍ବର ୧୩୮ ଏବଂ ୧୮୨କୁ ଅପସାରିତ କରାଯିବ।

ସମ୍ବନ୍ଧିତ ଖବର