୧୫ ଜିଲ୍ଲାରେ ଶତ ପ୍ରତିଶତ ଟିକାକରଣ

ଅଷ୍ଟମ ଦିନରେ ୧୦୫% ଟିକାକରଣ
ଆସିଲା ଦେଢ଼ ଲକ୍ଷ ‘କୋଭାକ୍ସିନ୍’
୮ରୁ ଅଧିକ ସ୍ବାସ୍ଥ୍ୟ ନିର୍ଦେଶକ ନେଲେଣି ଟିକା

ଭୁବନେଶ୍ବର : ରାଜ୍ୟରେ କରୋନା ଟିକାକରଣର ଅଷ୍ଟମ ଦିନରେ ୧୦୫ ପ୍ରତିଶତ ଟିକାକରଣ ହୋଇଛି। ୧୫ ଜିଲ୍ଲାରେ ଶତ ପ୍ରତିଶତ ଟିକାକରଣ ରେକର୍ଡ କରାଯାଇଛି। ଯାହାଫଳରେ ରାଜ୍ୟରେ ଦେଢ଼ଲକ୍ଷରୁ ଅଧିକ ସ୍ବାସ୍ଥ୍ୟକର୍ମୀ ଟିକା ନେଇ ସାରିଲେଣି। ଅପରପକ୍ଷରେ ଆସନ୍ତାକାଲି ରବିବାର ପାଇଁ ଟିକାକରଣ ବନ୍ଦ ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଆଜି ୨୨୪ଟି ଅଧିବେଶନରେ ୨୧,୩୦୪ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମାତ୍ର ୨୨,୩୬୪ଜଣଙ୍କୁ ଟିକା ଦିଆଯାଇଛି। କେନ୍ଦୁଝରରେ ସର୍ବାଧିକ ୧୨୧ ପ୍ରତିଶତ ଟିକାକରଣ ହୋଇଥିବା ବେଳେ ବଲାଙ୍ଗୀରରେ ୫୦ ପ୍ରତିଶତ ଟିକାକରଣ ହୋଇଛି। ଅନୁଗୁଳ, ବରଗଡ଼, ଭଦ୍ରକ, ଢେଙ୍କାନାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସୋନପୁର ଓ ସୁନ୍ଦରଗଡ଼ରେ ଶତ ପ୍ରତିଶତ ଟିକାକରଣ ହୋଇଛି। ଭୁବନେଶ୍ବରରେ ୯୧ ପ୍ରତିଶତ ଟିକାକରଣ ହୋଇପାରିଛି। ଆଜି ସମୁଦାୟ ୨୧,୮୯୮ ‘କୋଭିସିଲ୍ଡ’ ଓ ୪୬୬ ‘କୋଭାକ୍ସିନ୍’ର ଡୋଜ୍ ଦିଆଯାଇଛି। ଆଜି ଟିକା ନେଇଥିବା କୌଣସି ସ୍ବାସ୍ଥ୍ୟକର୍ମୀଙ୍କ କ୍ଷେତ୍ରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ଅପରପକ୍ଷରେ ଆଜି ରାଜ୍ୟରେ ୧ଲକ୍ଷ ୪୯ହଜାର ୭୬୦ ଡୋଜ୍‌ର ‘କୋଭାକ୍ସିନ୍’ ଟିକା ପହଞ୍ଚିଛି। କୋଭାକ୍ସିନ୍ ଟିକା କେବଳ ଭୁବନେଶ୍ବର ମ୍ୟୁନିସିପାଲଟି ଅଞ୍ଚଳରେ ଦିଆଯାଉଛି।

ରାଜ୍ୟରେ ଏବେ କରୋନା ଟିକା ଗ୍ରହଣୀୟ ହେବାରେ ଲାଗିଛି। ଟିକାଦାନର ଦ୍ବିତୀୟ ଦିନଠାରୁ ରାଜ୍ୟରେ ଟିକାକୁ ନେଇ ସାମାନ୍ୟ ପ୍ରତିରୋଧ ‌ନଜରକୁ ଆସିଥିଲା। ଅଧିକାଂଶ ଜିଲ୍ଲା ଟିକାକରଣରେ ନୈରାଜ୍ୟଜନକ ପ୍ରଦର୍ଶନ କରିଥିଲେ। ମାତ୍ର ଏବେ ଜିଲ୍ଲାଗୁଡ଼ିକରେ ଶତ ପ୍ରତିଶତ ଟିକାକରଣ ନଜରକୁ ଆସୁଛି। ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶାଳୟର ୮ଜଣ ନିର୍ଦେଶକ ମଧ୍ୟ ଟିକା ନେଇ ଉଦାହରଣ ସୃଷ୍ଟି କରିଛନ୍ତି। ଡିଏମ୍‌ଇଟି, ପରିବାର କଲ୍ୟାଣ, ସ୍ବାସ୍ଥ୍ୟସେବା, ଜନସ୍ବାସ୍ଥ୍ୟ, ନର୍ସିଂ, ସ୍ବାସ୍ଥ୍ୟ ପରିସଂଖ୍ୟାନ, ଏସ୍ଆଇଏଚ୍‌ଏଫ୍‌ଡବ୍ଲୁ, କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଓ ଅନ୍ୟମାନେ ଟିକା ନେଇ ସାରିଲେଣି। ଏସବୁ ନିର୍ଦେଶାଳୟର କର୍ମଚାରୀମାନେ ମଧ୍ୟ ଟିକା ନେଇ ସାରିଥିବା ନଜରକୁ ଆସିଛି।

ସମ୍ବନ୍ଧିତ ଖବର